କରୋନା – ଓଡ଼ିଶା ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟାରେ ୩୩୫ ବୃଦ୍ଧି ପାଇ ମୋଟ୍ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୯୩ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଅଛନ୍ତି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲରୁ ସର୍ବାଧିକ ୫୨ ଜଣ ଥିବାବେଳେ ଖୋର୍ଦ୍ଧାରୁ ୩୧, ମୟୂରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୬, ଅନୁଗୁଳରୁ ୨୫, କଟକରୁ ୨୦ ଏବଂ ପୁରୀରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।
ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଏବଂ କଟକ
ଓ ମାଲ୍କାନଗିରିରୁ ଜଣେ ଲେଖାଏଁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭ ଶହ ୯୮କୁ ବୃଦ୍ଧି ପାଇଛି । କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ଆଜି ସୁଦ୍ଧା ୫୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ସଂକ୍ରମିତମାନେ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ଥିଲେ ।
ରାଜ୍ୟର ବିଭିନ୍ନ ପରୀକ୍ଷାଗାରରେ ୬୩ ଲକ୍ଷ ୪୫ ହଜାର ୭୦୫ଟି କରୋନା ନମୁନା ପରୀକ୍ଷା ହୋଇଥିବାବେଳେ ସକ୍ରିୟ କିତ୍ସାଧୀନଙ୍କ
ସଂଖ୍ୟା ୩ ହଜାର ୨୩୧କୁ ହ୍ରାସ ପାଇଛି ।
କରୋନା – ଇଣ୍ଡିଆ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୪ଦଶମିକ ୮/୯ ପ୍ରତିଶତକୁ ବୃଦ୍ଧି ପାଇଛି । ଆଜି ସୁଦ୍ଧା ୯୩ ଲକ୍ଷ ୨୪ ହଜାର ୩୨୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ସେହିପରି ଗତ ୨୪ଘଣ୍ଟାରେ ୩୦ହଜାର ୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବୃଦ୍ଧିପାଇଁ ୯୮ ଲକ୍ଷ ୨୬ହଜାର
୭୭୫ରେ ପହଞ୍ଚିଛି । ତେବେ ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ସର୍ବନିମ୍ନ ଥିବାର ଜଣାପଡ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ କରୋନାଜନିତ ମୃତ୍ୟୁ ହାର ୧ ଦଶମିକ ୪/୫ ପ୍ରତିଶତ ରହିଛି ।
ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ନ ଆସିବା ପର୍ଯ୍ୟନ୍ତ କୋଭିଡ୍ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଜନଆନ୍ଦୋଳନକୁ ସମାଜର ସବୁ ବର୍ଗର ଲୋକମାନେ ସମର୍ଥନ କରିଛନ୍ତି । ମାସ୍କ ପିନ୍ଧିବା, ୬ଫୁଟର ଦୂରତା ବଜାୟ ରଖିବା ଏବଂ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।