ଲଜିଷ୍ଟିକ୍ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ
- ୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ
- ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି
ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ମହିଳାମାନଙ୍କୁ ଯେତେବେଳେ କୌଣସି ପ୍ରକଳ୍ପରେ ସାମିଲ କରାଯାଏ ସେମାନେ ବହୁତ ସଫଳତା ହାସଲ କରିଥାନ୍ତି । ଇ-କମର୍ସ ସଂସ୍ଥାଗୁଡ଼ିକରେ ତାହାର ପ୍ରତିଫଳନ ଦେଖିବାକୁ ମିିଳିଛି । ବହୁ ଚାକିରିରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଭଲ କାମ କରୁଛନ୍ତି । ତେଣୁ ଲଜିଷ୍ଟିକ୍ କ୍ଷେତ୍ରକୁ କେବଳ ପୁରୁଷ ପ୍ରଧାନ କ୍ଷେତ୍ର ଭାବେ ବିଚାର ନକରି ସେଥିରେ ମହିଳାମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଶୁକ୍ରବାର ଭୁବନେଶ୍ୱରରେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଲଜିଷ୍ଟିକ୍ସ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଛୋଟ ବଡ଼ ସବୁ ପ୍ରକାର ଶିଳ୍ପରେ ଉଚ୍ଚ ଲଜିଷ୍ଟିକ୍ ଖର୍ଚ୍ଚ କିଭଳି ବଜାର ଓ ଅଭିବୃଦ୍ଧିକୁ ପ୍ରଭାବିତ କରୁଛି ତାହା ଉପରେ ସେ ଆଲୋକପାତ କରିଥିଲେ । ଯଦି ଅଭିବୃଦ୍ଧି ପାଇଁ ଲଜିଷ୍ଟିକ୍ସକୁ ଏକ ଇଞ୍ଜିନ ଭାବେ ବିଚାର କରାଯିବ ତେବେ ତାହା ପ୍ରଭାବଶାଳୀ ହେବା ଦରକାର । ଜାତୀୟ ଲଜିଷ୍ଟିକ୍ ନୀତିରେ ଭାରତକୁ ବିଶ୍ୱର ଶ୍ରେଷ୍ଠ ୨୫ ଦେଶ ଭିତରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି, ପିଏମ୍ ଗତି ଶକ୍ତିରେ ବିଭିନ୍ନ ପ୍ରକାର ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି । ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ମଧ୍ୟ ଅନ୍ୟତମ ଗୁରୁତ୍ୱର କ୍ଷେତ୍ର । ନୀତି ନିୟମ ଦୃଷ୍ଟିରୁ ବିମାନ ଓ ବନ୍ଦର କ୍ଷେତ୍ରରେ ପରିପକ୍ୱତା ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ପାରାଦୀପ ବନ୍ଦର ଟ୍ରଷ୍ଟର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ପିଏମ୍ ଗତିଶକ୍ତି ଓ ସାଗରମାଳା ପ୍ରକଳ୍ପର ବନ୍ଦର କ୍ଷେତ୍ର ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଏହି ଦୁଇ ପ୍ରକଳ୍ପ ଆମ ଦେଶର ବନ୍ଦରଗୁଡ଼ିକରେ ଜୀବନ ଭରିଛି ଏବଂ ତାହାର ପ୍ରଭାବ ପ୍ରତିିଫଳିତ ହୋଇସାରିଲାଣି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପାରାଦୀପ ବନ୍ଦର ହେଉଛି ଭାରତର ଏକ ପ୍ରଭାବୀ, ସର୍ବବୃହତ ଓ ସୁଲଭ ବନ୍ଦର । ଗତ ଆର୍ଥିକ ବର୍ଷରେ ଏହି ବନ୍ଦର ରେକର୍ଡ ୧୩୬.୩୬ ଏମ୍ଟି ପଣ୍ୟ ପରିବହନ କରିଛି । ଗତ ୬ ବର୍ଷ ଧରି ଏହା ବର୍ଷକୁ ୧୦୦ ଏମ୍ଟିରୁ ଅଧିକ ପଣ୍ୟ ପରିବହନ କରୁଛି । ପୂର୍ବାଚଂଳ ବନ୍ଦରଗୁଡ଼ିକ ମଧ୍ୟରେ ପାରାଦୀପ ବନ୍ଦରର ପଣ୍ୟ ପରିବହନ ଅନ୍ୟତମ ସର୍ବାଧିକ ବୋଲି ସେ କହିଛନ୍ତି ।
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି ଯେ, ଡିଜିଟାଇଜେସନ ଓ ସ୍ମାର୍ଟ ଲଜିଷ୍ଟିକ୍ସ କିଭଳି ଓଡ଼ିଶାର ଲଜିଷ୍ଟିକ୍ କ୍ଷେତ୍ରରେ ପାରଦର୍ଶିତା, ସଠିକତା ଓ ସ୍ୱଚ୍ଛତା ଆଣିପାରିବ ତାହା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଲଜିଷ୍ଟିକ୍ସ କ୍ଷେତ୍ରରେ ଥିବା ଦୁର୍ବଳତାକୁ ଆମେ ଚିହ୍ନଟ କରିଛୁ ଯାହାକୁ ଦୂର କରିବା ଲାଗି ନିୟାମକ ବ୍ୟବସ୍ଥା ଦରକାର ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ଦକ୍ଷ ଶ୍ରମଶକ୍ତିର ଚାହିଦା ମଧ୍ୟ ପୂରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ସିଆଇଆଇ ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର କହିଛନ୍ତି ଯେ, “ଲଜିଷ୍ଟିକ୍ସ ଖର୍ଚ ପାଇଁ ଉତ୍ପାଦନ ମହଙ୍ଗା ହେଉଛି । ଏମ୍ଏସ୍ଏମଇଙ୍କ ପାଇଁ ଓଡ଼ିଶାରେ କଂଟେନର ବନ୍ଦର ଆବଶ୍ୟକ । ଆମର ବିଶ୍ୱାସ ରହିଛି ଯେ ରାଜ୍ୟରେ ନିକଟ ଭବିଷ୍ୟତରେ ସେହି ସୁବିଧା ମିଳିବ । ଏହି ଅବସରରେ ବାଲମର ଲରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର କହିଛନ୍ତି ଯେ ୨୦୨୪ ସୁଦ୍ଧା ଲଜିଷ୍ଟିକ୍ କ୍ଷେତ୍ର ବାର୍ଷିକ ୧୫.୫ ପ୍ରତିଶତ ହାରରେ ଆଗକୁ ବଢ଼ିବ । ଏହି କ୍ଷେତ୍ରରେ ୨୨ ନିୟୁତ ଲୋକ ନିୟୋଜିତ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଆଉ ୧.୨ ନିୟୁତ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସିଆଇଆଇ ଓଡ଼ିଶା ଭିତିଭୂମି ଓ ଲଜିଷ୍ଟିକ୍ କମିଟିର ଅଧ୍ୟକ୍ଷ ପ୍ରମୋଦ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁଇଟି ବୈଷୟିକ ଅଧିବେଶନ ଓ ତିନିଟି ପ୍ଲେନାରି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲଜିଷ୍ଟିକ୍ସର ଇଡି କେ ଭି ମାହିଧର, ଏଟଂରପ୍ରାଇଜ୍ ସିଷ୍ଟମ୍ ସଲ୍ୟୁସନ୍ସର ସିଇଓ ସୁଧୀର ଜୈସୱାଲ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧ।।ନ, ଏନଏଚଏଆଇ-ଭୁବନେଶ୍ୱରର ଆଂଚଳିକ ଅଧିକାରୀ ବିରେନ୍ଦ୍ର ସିଂହ, ଚିଫ ଟ୍ରାନ୍ସପୋର୍ଟେସନ ପ୍ଲାନିଙ୍ଗ ମ୍ୟାନେଜର ସମାସ୍ ହାମ୍ମଦ, ଏଏମ୍ଏନ୍ଏସ୍ ପୋର୍ଟସ୍ ପାରାଦୀପର ୟୁଏସ୍ଆର୍ ରାଜୁ, ଜିନ୍ଦଲ ଷ୍ଟେନଲେସର ଚିଫ୍ ଲଜିଷ୍ଟିକ୍ ଅଫିସର ଭେଙ୍କଟେଶ୍ୱର ରାଓ, ଜେଏସଡବ୍ଲୁ ଷ୍ଟିଲର ଭିପି ସୁନିଲ ପାଣ୍ଡେ, ରାଉରକେଲା ଷ୍ଟିଲ୍ ପ୍ଲାଂଟ୍ର ପ୍ରବନ୍ଧକ ଏସ୍ ସି ମହାନ୍ତି, ଟାଟା ଷ୍ଟିଲ୍ର ଲଜିଷ୍ଟିକ୍ ମୁଖ୍ୟ ଅମିତ ଚୌବେ, ବେଦାନ୍ତ ସିଇଓ ସୁନିଲ ଗୁପ୍ତା, ଜୈନ ରୋଡ୍ କ୍ୟାରିୟରର ପ୍ରମୋଦ ଜୈନ, ସିଆଇଆଇ ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ଜ୍ୟୋତି ଭୂଷଣ ପାଣି, ବାଲ୍ଟ ଲଜିଟେକ୍ର ସିଏମ୍ଡି ବ୍ରହ୍ମାନନ୍ଦ ମିଶ୍ର, ଏକ୍ଜିମ୍ ଲଜିଷ୍ଟିକ୍ସର ଏମ୍ଡି ହିମାଦ୍ରୀ ପଟ୍ଟନାୟକ ଓ ଗର୍ଗସନ୍ ଲଜିଷ୍ଟିକ୍ସର ନିର୍ଦେଶକ ମୋହିତ ଗର୍ଗ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.