କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର

0 1,952

ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍‍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କହିଛନ୍ତି, ଓଡ଼ିଶାରେ ଏହାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରାଯାଇଛି ।

ସେହିଭଳି ଚଳିତ ମାସ ୩୧ ତାରିଖ ଯାଏ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ ପରୀକ୍ଷା ଚାଲୁ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏହାର ନିର୍ଦେଶାଳୟ ଏବଂ ଜିଲ୍ଲାପାଳମାନଙ୍କୁ ଏ ନେଇ ଆବଶ୍ୟକ ହେଉଥିବା ଜରୁରୀ କାଳୀନ ଔଷଧ ଓ ଅନ୍ୟ ଉପକରଣ କିଣିବାକୁ ଅଧିକୃତ କରାଯାଇଛି।

ଏହି ଭୂତାଣୁ କାରଣରୁ ଉପୁଜୁଥିବା ସ୍ଥିତି ଉପରେ ନଜର ରଖିବା ସହ ରୋଗ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ଏକ କମିଟି ଗଠନ
କରାଯାଇଛି।

ଏହା ସହ ସମସ୍ତ ସିନେମାହଲ୍‍, ସୁଇମିଂ ପୁଲ୍‍, ଜିମ୍‍ ଆଦିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି କର୍ମଶାଳା, ସମ୍ମିଳନୀ, ଶୋଭାଯାତ୍ରା ଆଦି ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ
କହିଛନ୍ତି କରୋନାର କୌଣସି ଉପଚାର କିମ୍ବା ଔଷଧ ନଥିବାରୁ କେବଳ ସଚେତନତା ହିଁ ରକ୍ଷା କରିପାରିବ । ସେହିଭଳି ବାହାରେ ଛେପ ନପକାଇବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ତେବେ କରୋନାକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହା ଅନୁସାରେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‍ରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ ।

କୌଣସି ହସ୍ପିଟାଲ୍‍କୁ ଆସୁଥିବା କରୋନା ସନ୍ଦିଗ୍ଧ ସବୁପ୍ରକାର ତଥ୍ୟ ହସ୍ପିଟାଲ୍‍ କର୍ତ୍ତୃପକ୍ଷ ରଖିବେ । ଯଦି କେହି କରୋନା ସମ୍ପର୍କରେ ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ସେହିଭଳି କୌଣସି ଘରୋଇ ଲ୍ୟାବ୍‍ରେ କରୋନା ପରୀକ୍ଷାକୁ ଅନୁମତି ଦିଆଯିବ ନାହିଁ ବୋଲି ମଧ୍ୟ
କୁହାଯାଇଛି ।

Leave A Reply