୧୦୦ ଡାଏଲ୍ କରି କିମ୍ବା ଥାନାରୁ ଲକ୍ ଡାଉନ୍ ବେଳେ ଅତ୍ୟାବଶକୀୟ କାମ ପାଇଁ ପାଇ ପାରିବେ ପାସ୍

ଭୁବନେଶ୍ୱର – ଲକ୍ଡାଉନ୍ ସମୟରେ କଟକ ଏବଂ ଭୁବନେଶ୍ୱରରେ ପାସ୍ ନ ଥିଲେ କୌଣସି ଗାଡ଼ି ଗଡ଼ିବ ନାହିଁ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି । ଅତି ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପୁଲିସ୍ଠାରୁ ପାସ୍ ଆଣିବା ବାଧ୍ୟତାମୂଳକ ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
କମିଶନର ଷଡ଼ଙ୍ଗୀ କହିଛନ୍ତି, ଲକ୍ଡାଉନ୍ ସମୟରେ କିଛି ଲୋକ ନିୟମ ପାଳନ କରୁ ନ ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦି ବାହାରକୁ ଯିବାର ଥାଏ, ତେବେ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ନମ୍ବର ୧୦୦ ଡାଏଲ୍ କରି
ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ପରେ ସେ ଯଦି ଜରୁରୀ ଅନୁଭବ କରିବେ, ସେ କ୍ଷେତ୍ରରେ ପାସ୍ ପ୍ରଦାନ କରାଯିବ ।
ସେହି ପାସ୍ଟି ଏକ ମେସେଜ୍ ଭାବରେ ମୋବାଇଲ୍କୁ ଆସିବ । ଅନ୍ୟପକ୍ଷରେ ଆସନ୍ତା ୭ ଦିନ ପାଇଁ ଲକ୍ଡାଉନ୍ ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ କାମରେ ବାହାରକୁ ଯିବାର ଥିଲେ ଇନିସ୍ପେକ୍ଟର ଏବଂ ଏସ୍.ପି.
ସ୍ତରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ପାସ୍ ହାସଲ୍ କରାଯାଇପାରିବ ବୋଲି ପୁଲିସ୍ କମିଶନର୍ କହିଛନ୍ତି । ଏହି ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟାଳୟରେ ଯେତେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସଞ୍ଚାଳନ କରାଯାଇପାରିବ, ତାହା ଉପରେ ମଧ୍ୟ ପୁଲିସ୍ କମିଶନର୍ ଗୁରୁତ୍ୱ ଆରୋପ କରିଛନ୍ତି ।
କରୋନା ଭୂତାଣୁକୁ ପ୍ରତିହତ କରିବାପାଇଁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍କୁ ବାତିଲ୍ କରାଯାଇଥିବାବେଳେ ଟିକେଟ୍ ସଂରକ୍ଷଣ କାଉଣ୍ଟର ଏବଂ ପାର୍ଶଲ୍ ଅଫିସ୍କୁ ସେହି ସମୟ ପର୍ଯ୍ୟନ୍ତ ବନ୍ଦ୍ କରାଯାଇଛି ।
ଏଥିସହିତ ଟିକେଟ୍ ବାତିଲ୍ ଦେୟ ଫେରସ୍ତ ପାଇବାପାଇଁ ସମୟ ସୀମା ଆସନ୍ତା ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେଣୁ ଟିକେଟ୍ ବାତିଲ୍ କରିଥିବା ବ୍ୟକ୍ତିବିଶେଷ ସେହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଦେୟ ଫେରସ୍ତସ ପାଇବେ ।