ସାବଧାନ!ବର୍ଷାଦିନେ ମୂଷାଠାରୁ ବ୍ୟାପୁଛି ମାରାତ୍ମକ ରୋଗ ଲେପ୍ଟୋସ୍ପାୟରୋସିସ୍‍

0 881

ମୁମ୍ବଇରେ ଲଗାଣ ବର୍ଷା ଯୋଗୁ ସମ୍ପ୍ରତି ଏକ ମାରାତ୍ମକ ରୋଗ ବ୍ୟାପିଥିବା ଦେଖାଯାଇଛି। ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବା ଏହି ରୋଗର ନାମ ଲେପ୍ଟୋସ୍ପାୟରୋସିସ୍‍। ଲେପ୍ଟୋସ୍ପିରା ଜୀବାଣୁ ଏହି ରୋଗର କାରଣ ହୋଇଥିବା ବେଳେ ମଣିଷ ସହିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବର୍ଷାଜଳ ଜମିବା ଯୋଗୁ ଏହି ସଂକ୍ରମଣର ଆଶଙ୍କା ବଢେ। ଗତ କିଛିବର୍ଷ ହେବ ଭାରତରେ ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା, କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଆଣ୍ଡାମାନ ଦ୍ୱୀପ ପରି ଉପକୂଳବର୍ତ୍ତୀ ରାଜ୍ୟରେ ଲେପ୍ଟୋସ୍ପାୟରୋସିସ୍‍ ସଂକ୍ରମଣ ଆଶଙ୍କା ଦେଖାଯାଇଛି। ଭାରତରେ ପ୍ରତିବର୍ଷ ଏଥିରେ ୫ହଜାର ସଂକ୍ରମଣ ଘଟଣା ଦେଖାଯାଉଥିବା ବେଳେ ୧୦-୧୫ ପ୍ରତିଶତ ମୃତ୍ୟୁବରଣ କରନ୍ତି।

ସଂକ୍ରମଣର ସଙ୍କେତ: ପ୍ରବଳ ଜ୍ୱର ହେବା, ମୁଣ୍ଡବ୍ୟଥା, ଥଣ୍ଡା ସହିତ ମାଂସପେଶୀରେ ଯନ୍ତ୍ରଣା ଏହାର ସାଧାରଣ ଲକ୍ଷଣ। ଏହା ବ୍ୟତୀତ ବାନ୍ତି, ଜଣ୍ଡିସ୍‍ ହେବା, ଆଖି ଲାଲ୍‍ ପଡିବା, ପେଟବ୍ୟଥା, ପତଳା ଝାଡା ପରି ସମସ୍ୟା ବି ହୋଇଥାଏ। ଏହି ସଂକ୍ରମଣର ଅଧିକାଂଶ ଲକ୍ଷଣ ଡେଙ୍ଗୁର ଲକ୍ଷଣ ସହିତ ସମାନ।

ଅଧିକ ବର୍ଷା ହେବାଦ୍ୱାରା ମୂଷାଙ୍କ ସଂଖ୍ୟା ବଢିଯାଏ। ସଂକ୍ରମିତ ମୂଷାଙ୍କ ମୂତ୍ରରେ ଲେପ୍ଟୋସ୍ପାୟାର ଥିବାରୁ ଏହା ବର୍ଷା ଓ ବନ୍ୟା ପାଣିରେ ମିଶି ଆଖି, ନାକ, ପାଟି ଦ୍ୱାରା ଶରୀରକୁ ପ୍ରବେଶ କରେ। ଚର୍ମରେ କ୍ଷତ ଥିଲେ ମଧ୍ୟ ଏଥିରେ ଜୀବାଣୁ ପ୍ରବେଶ କରିପାରନ୍ତି।

ଚିକିତ୍ସା: ଏଥିପାଇଁ ପ୍ରଥମତଃ ଅପରିଷ୍କାର ପାଣି ଓ ମୂଷାଠାରୁ ଦୂରରେ ରହିବାର ପରାମର୍ଶ ଦିଆଯାଏ। ଚିକିତ୍ସା ପାଇଁ ଡାକ୍ତର ଡାଇଲିସିସ୍‍ ଏବଂ ଆଣ୍ଟିବାୟୋଟିକ୍‍ ଦେଇଥାନ୍ତି। କିଡ୍‍ନୀ, ଯକୃତ ତଥା ହୃଦ୍‍ଯନ୍ତ୍ରରେ ସଂକ୍ରମଣ ଆଶଙ୍କା ହେଲେ କିମ୍ବା ପଟାସିୟମ ସ୍ତର ବଢିଲେ ରୋଗୀଙ୍କର ବିଶେଷ ଯତ୍ନ ନେବାକୁ ହୁଏ।

ସୁରକ୍ଷିତ ରହିବେ କେମିତି:

– ଅପରିଷ୍କାର ପାଣିରେ ଚାଲନ୍ତୁ ନାହିଁ।

– କ୍ଷତସ୍ଥାନକୁ ଭଲଭାବେ ଘୋଡାଇ ରଖନ୍ତୁ। ୱାଟରପ୍ରୁଫ୍‍ ଡ୍ରେସିଙ୍ଗ କରିବା ଭଲ। ବଡ କ୍ଷତ ହୋଇଥିଲେ ନିୟମିତ ସଫା କରନ୍ତୁ।

– ବନ୍ଦ ଜୋତା ଏବଂ ମୋଜା ପିନ୍ଧିବା ଉଚିତ।

– ପାଦ ଭଲଭାବେ ଧୋଇ ଗାମୁଛାରେ ପୋଛି ଶୁଖାନ୍ତୁ। ଓଦା ପାଦରେ ସଂକ୍ରମଣ ହୋଇପାରେ।

– ପୋଷା ଜୀବଙ୍କୁ ଟିକା ଲଗାନ୍ତୁ। ଏମାନଙ୍କ ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି। ରୋଗାକ୍ରାନ୍ତ କିମ୍ବା ମୃତ ଜୀବଙ୍କୁ ଛୁଇଁବା ଉଚିତ ନୁହେଁ।

– ସ୍ୱଚ୍ଛ, ଜୀବାଣୁମୁକ୍ତ ପାଣି ପିଇବା ସହ ସ୍ୱିମିଂପୁଲ୍‍, ପୋଖରୀ, ନଦୀ ଆଦି ଜଳାଶୟ ନିକଟକୁ ଯାଆନ୍ତୁ ନାହିଁ।

Leave A Reply