ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍ର ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏକ ଐତିହାସିକ ବେଗରେ କ୍ରୟ ବଜାୟ ରଖିଥିବାରୁ ତ୍ରୈମାସିକ ସୁନା ଚାହିଦା (ଓଟିସି ବ୍ୟତୀତ)୧୧୪୭ ଟନ୍ରେ ପହଂଚିଛି । ଯାହାକି ଏହାର ୫ ବର୍ଷର ହାରାହାରି ତୁଳନାରେ ୮% ଅଧିକ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଡାଟା ସିରିଜ୍ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଟ୍ କ୍ରୟର ୩ୟ ସର୍ବାଧିକ ଶକ୍ତିଶାଳୀ ତ୍ରୈମାସ ଦେଖିଛନ୍ତି ଯାହା ୩୩୭ ଟନ୍ରେ ପହଂଚିଛି । ଯଦିଓ ୨୦୨୨ର ତ୍ରୈମାସିକ ରେକର୍ଡ ଭାଙ୍ଗିବାରେ ପଛରେ ରହିଛି ତଥାପି ଇୟର-ଟୁ-ଡେଟ୍ ଡିମାଣ୍ଡ ୮୦୦ ଟନ୍ରେ ପହଂଚିଛି ଯାହା ଏହାର ଡାଟା ସିରିଜ୍ ପାଇଁ ଏକ ନୂଆ ରେକର୍ଡ । କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଏହି ଦୃଢ଼ କ୍ରୟ ଧାରା ବର୍ଷର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍ର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍ ଷ୍ଟ୍ରୀଟ୍ କହିଛନ୍ତି, “ଚଳିତ ବର୍ଷ ସୁନା ଚାହିଦା ସ୍ଥିର ରହିଛି, ଉଚ୍ଚ ସୁଧ ହାର ଓ ଏକ ମଜଭୁତ ୟୁଏସ୍ ଡଲାର ବିରୋଧରେ ଏହା ଭଲ ପ୍ରଦର୍ଶନ କରିଛି । ଆମର ରିପୋର୍ଟ ଦର୍ଶାଉଛି ଯେ, ସୁନା ଚାହିଦା ଏହାର ୫-ବର୍ଷର ହାରାହାରି ତୁଳନାରେ ଚଳିତ ତ୍ରୈମାସରେ ଉନ୍ନତ ରହିଛି । ଭୂରାଜନୈତିକ ତିକ୍ତତା ବୃଦ୍ଧି ପାଇବା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା କ୍ରମାଗତ ବର୍ଦ୍ଧିତ କ୍ରୟ ପାଇଁ ଏକ ସମ୍ଭାବନା ସହିତ ସୁନା ଚାହିଦା ଆଶ୍ଚର୍ଯ୍ୟଜନକ ଭାବେ ଆହୁରି ବୃଦ୍ଧି ପାଇପାରେ ।”
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ, ଇଣ୍ଡିଆ, ରିଜିଓନାଲ ସିଇଓ ସୋମସୁନ୍ଦରମ୍ ପିଆର୍ କହିଛନ୍ତି, “୨୦୨୩ର ୩ୟ ତ୍ରୈମାସରେ ୨୧୦ ଟନ୍ର ଭାରତର ସୁନା ଚାହିଦା ୨୦୨୨ର ସମାନ ଅବଧିର ୧୯୧.୭ ଟନ୍ ତୁଳନାରେ ୧୦% ଅଧିକ ରହିଛି । ଭାରତରେ ସୁନା ଅଳଙ୍କାରର କ୍ରୟ ବାର୍ଷିକ ଆଧାରରେ ୭% ବୃଦ୍ଧି ହୋଇଛି ଯାହା ସୁନା ମୂଲ୍ୟରେ ହ୍ରାସ ଓ ପାର୍ବଣ ଚାହିଦା କାରଣରୁ ବୃଦ୍ଧି ପାଇଥିଲା, ଏହି ବୃଦ୍ଧି ମୁଖ୍ୟତଃ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି । ବାର୍ ଓ କଏନ ଭଳି ନିବେଶ ସୁନା ଚାହିଦା ପୂର୍ବ ବର୍ଷର ୩ୟ ତ୍ରୈମାସର ୪୫.୪ ଟନ୍ ତୁଳନାରେ ୨୦% ବୃଦ୍ଧି ହୋଇ ୫୪.୫ ଟନ୍ରେ ପହଂଚିଛି । ଭାରତରେ ସୁନାର ରିସାଇକ୍ଲଙ୍ଗ ଗତ ଏକ ବର୍ଷରେ ୨୦% ବୃଦ୍ଧି ହୋଇ ୧୯.୩ ଟନ୍ ରହିଛି ଯାହାକି ଗତ ବର୍ଷର ନିମ୍ନ ଆଧାର ଓ ବୋଧହୁଏ କିଛି ଲାଭ କାରଣରୁ ଘଟିଛି । ପ୍ରଥମ ୯ ମାସରେ ଚାହିଦା ୪୮୧.୨ ଟନ୍ ରହିବା ସହିତ ସମ୍ପୂର୍ଣ୍ଣ ବର୍ଷ ପାଇଁ ସୁନା ଚାହିଦା ଲାଗି ଆମର ଆକଳନ ୭୦୦ରୁ ୭୫୦ ଟନ୍ ମଧ୍ୟରେ ରହିଛି, ଯାହା ଗତବର୍ଷର ୭୭୪ ଟନ୍ର ଚାହିଦା ତୁଳନାରେ ଅପେକ୍ଷାକୃତ କମ୍ ଅଟେ ।
ଏହି ୩ୟ ତ୍ରୈମାସରେ ନିବେଶ ଚାହିଦା ୧୫୭ ଟନ୍ ରହିଛି ଯାହା ବାର୍ଷିକ ଆଧାରରେ ୫୬% ବୃଦ୍ଧି ଅଟେ କିନ୍ତୁ ୫ ବର୍ଷର ହାରାହାରି ତୁଳନାରେ ଦୁର୍ବଳ ଅଟେ । ୟୁରୋପରେ ଚାହିଦା ହ୍ରାସ ପାଇବା କାରଣରୁ ୩ୟ ତ୍ରୈମାସରେ ବାର୍ ଓ କଏନ୍ ନିବେଶ ୨୯୬ ଟନ୍କୁ ହ୍ରାସ ପାଇଛି, ପୂର୍ବ ତ୍ରୈମାସରେ ଚାହିଦା ଉର୍ଦ୍ଧ୍ୱମୂଖୀ ରହିଥିଲା ଏବଂ ଉଲ୍ଲେଖନୀୟ ଭାବେ ଏହା ୫ ବର୍ଷର ହାରାହାରି ହାର ତୁଳନାରେ ଅଧିକ ଥିଲା । ତେବେ ଓଟିସି ନିବେଶରେ ନିରନ୍ତର ବୃଦ୍ଧି ୩ୟ ତ୍ରୈମାସରେ ୧୨୦ ଟନ୍ରେ ପହଂଚିଥିଲା, ଯାହା ତୁର୍କୀ ଏବଂ ଅନ୍ୟାନ୍ୟ ବଜାରଗୁଡିକରେ କିଛି ଷ୍ଟକ୍ କମ୍ପାନୀଗୁଡିକରେ ହାଇ ନେଟ୍ ୱର୍ଥ ଚାହିଦା ଦ୍ୱାରା କିଛିମାତ୍ରାରେ ପରିଚାଳିତ ହୋଇଥିଲା ।ଆଲୋଚ୍ୟ ତ୍ରୈମାସରେ ବର୍ଦ୍ଧିତ ସୁନା ମୂଲ୍ୟ କାରଣରୁ ଅଳଙ୍କାର ଚାହିଦା ସ୍ଥିର ରହିଥିଲା କିନ୍ତୁ ବିଶ୍ୱବ୍ୟାପୀ ଅନେକ ବଜାରଗୁଡିକରେ ଉପଭୋକ୍ତାଙ୍କ ଉପରେ ବର୍ଦ୍ଧିତ ଖର୍ଚ୍ଚର ଚାପ କାରଣରୁ ସୁନା କ୍ରୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି ଯାହା ବାର୍ଷିକ ଆଧାରରେ ୨% ହ୍ରାସ ହୋଇ ୫୧୬ ଟନ୍ ରହିଛି । ୩ୟ ତ୍ରୈମାସରେ ବାର୍ଷିକ ଆଧାରରେ ମୋଟ ସୁନା ଯୋଗାଣ ୬% ବୃଦ୍ଧି ହୋଇଥିବା ବେଳେ ଖଣି ଉତ୍ପାଦନ ୨୭୪୪ ଟନ୍ର ଇୟର-ଟୁ-ଡେଟ୍ ରେକର୍ଡରେ ପହଂଚିଛି । କ୍ରମାଗତ ଭାବେ ଉଚ୍ଚ ସୁନା ଦର ରିସାଇକ୍ଲିଙ୍ଗ୍କୁ ୨୮୯ଟନ୍କୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି ଯାହା ବାର୍ଷିକ ଆଧାରରେ ୮% ଅଧିକ ରହିଛି ।
Comments are closed, but trackbacks and pingbacks are open.