କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆରମ୍ଭ ହୋଇଛି ।ଏହି ଅଭିଯାନ ମଧ୍ୟରେ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ବିନାଦେୟରେ କୋଭିଡ୍ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଆଜାଦି କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବ । ସମସ୍ତ ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୭୫ ଦିନ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୧୮ ବର୍ଷରୁ ଊଦ୍ଧ୍ୱର୍ ଯେଉଁ ବ୍ୟକ୍ତିମାନେ କୋଭିଡ ଦ୍ୱିତୀୟ ଡୋଜ୍ ଟିକା ନେବାର ୬ ମାସ ପୂରଣ କରିସାରିଛନ୍ତି, ସେମାନେ ଏହି ବୁଷ୍ଟର ଡୋଜ୍ ନେବା ଲାଗି ଯୋଗ୍ୟ ହୋଇପାରିବେ । ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ରାଜ୍ୟରେ ଥିବା ୩୦୦୦ଟି ସରକାରୀ ଟୀକାକରଣ କେନ୍ଦ୍ରରେ ଏହି ଅଭିଯାନ ଅଧୀନରେ ବିନାଦେୟରେ ଟୀକାକରଣ ହେବ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ସେ କହିଛନ୍ତି, ୧୮ରୁ ୫୯ ବର୍ଷ ବୟସ ବର୍ଗରେ ରାଜ୍ୟରେ ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି ।
ଇତିମଧ୍ୟରେ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକସନରୀ ଡୋଜ୍ ନେଇସାରିଛନ୍ତି । ଅର୍ଥାତ୍ ୯୯ଧ ଲୋକ ଏହି ଟିକା ନେଇନାହାନ୍ତି । ଏହି ଟୀକାକରଣ ପାଇଁ ପଞ୍ଜିକରଣ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଯେ ୧୨ରୁ ୧୪ ବର୍ଷ ମଧ୍ୟରେ ୯୮ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୨ୟ ଡୋଜ୍ ୭୨ ପ୍ରତିଶତ ନେଇସାରିଛନ୍ତି । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ୍ ୯୨ ପ୍ରତିଶତ ନେଇଥିବା ବେଳେ ୮୨ ପ୍ରତିଶତ ୨ୟ ଡୋଜ୍ ନେଇସାରିଛନ୍ତି । ୧୮ ବର୍ଷରୁ ଅଧିକ ଲୋକଙ୍କୁ ୯୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୯୦ ପ୍ରତିଶତ ଲୋକଙ୍କୁ ଦିଆସାରିଛି । ସେହିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ବୁଷ୍ଟର ଡୋଜ୍ ନେଇ ପାରିବେ, ସେଥିପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାରଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି ।
କୋଭିଡ ସମୀକ୍ଷା ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ଦୃଷ୍ଟିରୁ ଟିକାକରଣ, ସଚେତନତା ଓ ସଠିକ୍
ସୂଚନା ପ୍ରସାରଣ ଉପରେ ମୁଖ୍ୟସଚିବ ଗୁରୁତ୍ୱ ଆରୋପ କରିଛନ୍ତି । ସେହିଭଳି ଦୈନିକ କୋଭିଡ ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହ କଲ୍ ସେଣ୍ଟରଗୁଡ଼ିକୁ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଲାଗି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରତ୍ୟେକ ମେଡ଼ିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ ୱାର୍ଡ ବ୍ୟବସ୍ଥା କରାଯିବା ସହ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ଓ ବେଡ୍ ସଂଖ୍ୟା ବୃଦ୍ଧି କରିବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ବୈଠକରେ ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ପୌର ପରିଷଦର କମିଶନରମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିଜ ନିଜ ଅଞ୍ଚଳର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ
ମୁଖ୍ୟସଚିବଙ୍କୁ ଅବଗତ କରାଇଛନ୍ତି ।
Comments are closed, but trackbacks and pingbacks are open.