ଆଜି ପବିତ୍ର ଅକ୍ଷୟ ତୃତୀୟା । ରାଜ୍ୟବାସୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଆରାଧ୍ୟ ଦେବତା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବ୍ୟବହୃତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଏହା ବ୍ୟତୀତ ଓଡ଼ିଶାର ଚାଷୀକୂଳଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଦିନ ଅଟେ । କାରଣ ଏହି ଦିନ ଓଡ଼ିଆ ଚାଷୀଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି । ଧାର୍ମିକ ପରମ୍ପରା ଛଡ଼ା ଏହାର ଆଉ ଏକ ବୈଜ୍ଞାନିକ ଦିଗ ମଧ୍ୟ ରହିଛି । ଓଡ଼ିଶାର ମୃତ୍ତିକା ଶ୍ରେଣୀକୁ ବିଶ୍ଳେଷଣ କଲେ ଜଣାଯାଏ, ମୌସୁମୀ ପୂର୍ବରୁ ହେଉଥିବା ସାମାନ୍ୟ ବର୍ଷାକୁ ଉପଯୋଗ କରି ମାଟିକୁ ଅଳ୍ପ ଚାଷ କଲେ ବର୍ଷାଋତୁରେ ଜମିରେ ଚାଷ କାର୍ଯ୍ୟ କରିବାକୁ ସୁବିଧା ହୋଇଥାଏ । ଅକ୍ଷୟ ତୃତୀୟାକୁ ସମଗ୍ର ଚାଷୀକୂଳ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଥା’ନ୍ତି । ମାତ୍ର ଦେଶରେ ବର୍ତ୍ତମାନ ଚାଲିଥିବା କୋଭିଡ୍ ସଂକ୍ରମଣ ଯୋଗୁଁ ଏହା ଫିକା ପଡ଼ିଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅକ୍ଷିମୁଠି ଅନୁକୂଳ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଚାଷୀ ଆଜି ପ୍ରତ୍ୟୁଷରୁ ଉଠି ମା’ ମାଟି ଓ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ସହ ନିଜ ନିଜ ଧାନ ଜମିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଆଜି ଜିଲ୍ଲାରେ ବୀର ପରଶୁରାମଙ୍କ ଜୟନ୍ତୀ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।
ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା
ଜଣାଇଛନ୍ତି । ଚାଷୀମାନଙ୍କୁ ଦେଶର ଅନ୍ନଦାତା ଭାବେ ବର୍ଣ୍ଣନା କରି ସେ ଚଳିତ ବର୍ଷ ଭଲ ଅମଳ ସହ ଚାଷୀମାନଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅକ୍ଷିମୁଠି ଅନୁକୂଳ ଶୁଭଙ୍କର ହେଉ ବୋଲି କହିଛନ୍ତି ।ଚଳିତ ବର୍ଷ ଭଲ ଫସଲ ଅମଳ, ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ୱରାନ୍ୱିତ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଭାଇ ଓ
ରାଜ୍ୟବାସୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଚାଷୀମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ।