ପୁରୀ – ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତକାଲି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି । ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ୍ କରାଯାଇଥିଲା ।
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତି ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ଶ୍ରୀ ପ୍ରଧାନ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କ ସହ ଫୋନ୍ ଯୋଗେ କଥା ହୋଇ ଐତିହ୍ୟ ଉପନିୟମ ଉପରେ ଅଧିକ ଆଲୋଚନା କରିବାପାଇଁ ଅନୁରୋଧ କରିଥିଲେ । ଏହାସହ ସାଧାରଣ ଜନତାଙ୍କ ମତାମତ ପାଇଁ ପ୍ରସ୍ତାବିତ ଉପନିୟମର ଚିଠା ଓଡ଼ିଆ ଭାଷାରେ ସର୍ବସାଧାରଣରେ ପ୍ରକାଶ କରିବାପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ ଓ ଓଡ଼ିଆ ଲୋକଙ୍କ ଭାବାବେଗ ଓ ସ୍ୱାର୍ଥକୁ ସର୍ବୋଚ୍ଚ ସମ୍ମାନ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ।
ସେହିଭଳି ବିଜୁ ଜନତା ଦଳର ସାଂସଦମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ମଧ୍ୟ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମକୁ ପ୍ରତ୍ୟାହାର କରିବା
ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପୁରୀ ଶ୍ରୀମନ୍ଦିର ନିମନ୍ତେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି ।