ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ\’ ଉଦ୍ଘାଟିତ ହୋଇଯାଇଛି । କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ ଆସନ୍ତା ମାର୍ଚ୍ଚ ୧୬, ୨୦୨୬ ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିରର ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତହୋଇ, ଏହି ପ୍ରଦର୍ଶନୀରେ ୬୪ ଯୋଗିନୀଙ୍କର ଏକ ଶକ୍ତିଶାଳୀ ସମସାମୟିକ ଚିତ୍ରଣ ପ୍ରଦର୍ଶିତ କରାଯାଇଛି, ଯେଉଁମାନେକି ଜ୍ଞାନ, ଅର୍ନ୍ତଜ୍ଞାନ, ସାହସ ଏବଂ ରୂପାନ୍ତରର ବିଭିନ୍ନ ଦିଗକୁ ପ୍ରତିନିଧିତ୍ୱ କରୁଥିବା ‘ଶକ୍ତି\’ଙ୍କର ପବିତ୍ର ସ୍ୱରୂପ ଅଟନ୍ତି । ଏହି ପ୍ରଦର୍ଶନୀର ବିଶେଷତ୍ୱ ହେଉଛିଯେ ଏଥିରେ ପ୍ରଥମ ଥର ପାଇଁ ଜଣେ ମାତ୍ର ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସମସ୍ତ ୬୪ ଯୋଗିନୀଙ୍କର ଏକ ସମ୍ପୂର୍ଣ୍ଣ ସମସାମୟିକ ସଂଗ୍ରହ ସ୍ଥାନ ପାଇଛି, ଯାହା ଏହାକୁ ଏକ ଅନନ୍ୟ କଳାତ୍ମକ ତଥା ସାଂସ୍କୃତିକ ମାଇଲଖୁଂଟରେ ପରିଣତ କରିଛି ।
ଏହି ପ୍ରଦର୍ଶନୀକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ, ଦେବଯାନୀ ଭୂୟାଁ ପ୍ରଦୀପ ପ୍ରଜ୍ଜ୍ୱଳନକରି ଉଦଘାଟନ କରିବା ସହ ଉକ୍ତ ପରିକଳ୍ପନାକୁ ପ୍ରଶଂସା କରିଛନ୍ତି । ଡ.ବୀଣା ଉନ୍ନିକ୍ରିଷ୍ଣନ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଙ୍କାଳୀ ଟ୍ରଷ୍ଟ ଫର ଆର୍ଟସ ଆଣ୍ଡ କଲଚରାଲ ଇକୋନୋମିକ୍ ଡେଭଲପ୍ମେଂଟ\’ କଳାତ୍ମକ ପରମ୍ପରାକୁ ପ୍ରୋତ୍ସାହିତ କରିବା, କମ୍ ସୁଯୋଗ ପାଉଥିବା ସୃଜନଶୀଳ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାବେଶୀକରଣ ତଥା ସାଂସ୍କୃତିକ ଐତିହ୍ୟ ଉପରେ ବ୍ୟାପକ ଆଲୋଚନାକୁ ଉତ୍ସାହିତ କରିବା ଦିଗରେ ନିଜର ପ୍ରୟାସ ଜାରି ରଖିଛି ।
କଳାକାର ତଥା ସାମାଜିକ ଉଦ୍ୟୋଗୀ ଡ. ବୀଣା ଉନ୍ନିକ୍ରିଷ୍ଣନ କହିଛନ୍ତି ଯେ, “ଏହି ପ୍ରଦର୍ଶନୀ ମହତ୍ୱାକାଂକ୍ଷୀ \’୬୪ ଯୋଗିନୀ ଟ୍ରେଲ୍\’ର ଏକ ଅଂଶବିଶେଷ, ଯାହାକି ଦେଶର ୧୬ଟି ରାଜ୍ୟରେ ୧୦,୦୦୦ କିଲୋମିଟରରୁ ଅଧିକ ଅତିକ୍ରମ କରୁଥିବା ଏକ ଜାତୀୟ କଳାତ୍ମକ ଯାତ୍ରା ଅଟେ । ଚେନ୍ନାଇରୁ ଆରମ୍ଭ ହୋଇ କେରଳ ଓ କୋଏମ୍ବାତୁର ଦେଇ ଭୁବନେଶ୍ୱରରେ ପହଂଚିଥିବା ଏହି ପ୍ରକଳ୍ପ ସମସାମୟିକ ଦୃଶ୍ୟକଳା ମାଧ୍ୟମରେ ଭାରତର ପ୍ରାଚୀନ ପବିତ୍ର ନାରୀ-ଶକ୍ତି ପରମ୍ପରାକୁ ଆଧୁନିକ ସାଂସ୍କୃତିକ ଆଲୋଚନା ଓ ବିମର୍ଶ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛି ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ଏକ ଅତ୍ୟନ୍ତ ନିଆରା ପରିକଳ୍ପନା । ଆମେ ସମସ୍ତେ ଜାଣୁ ଯେ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ହେଉଛି ଭାରତରେ ଥିବା ଚାରୋଟି ୬୪ ଯୋଗିନୀ ମନ୍ଦିର ମଧ୍ୟରୁ ଅନ୍ୟତମ, ଏବଂ ଏହି ଉଲ୍ଲେଖନୀୟ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ଏକ କଳା ପ୍ରଦର୍ଶନୀ ଦେଖିବା ବାସ୍ତବରେ ଆନନ୍ଦଦାୟକ । ପ୍ରଦର୍ଶନୀରେ ଥିବା ପ୍ରତ୍ୟେକ କଳାକୃତି ନିଜର ଏକ ସ୍ୱତନ୍ତ୍ର ବିଷୟବସ୍ତୁ ଓ କାହାଣୀ ବହନ କରୁଛି, ଯାହା ଯୋଗିନୀ ପରମ୍ପରାର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଗଭୀରତାକୁ ପ୍ରତିଫଳିତ କରିଥାଏ । ମୋର ଦୃଢ଼ ବିଶ୍ୱାସ ଯେ ଏହି ପ୍ରଦର୍ଶନୀ ସେହି କଳାପ୍ରେମୀ, ପ୍ରତ୍ନତତ୍ୱବିତ୍ ଏବଂ ଐତିହାସିକମାନଙ୍କୁ ଆକୃଷ୍ଟ କରିବ, ଯେଉଁମାନେ ଦେବୀମାନଙ୍କ ଦ୍ୱାରା ପ୍ରତିନିଧିତ୍ୱ ହେଉଥିବା ଦୈବୀ ନାରୀ-ଶକ୍ତି ବିଷୟରେ ଅଧିକ ଅନୁସନ୍ଧାନ କରିବା ଓ ବୁଝିବାକୁ ଆଗ୍ରହୀ ଅଟନ୍ତି ।”
ଦର୍ଶକମାନେ ଏହି ୬୪ଟି ଚିତ୍ରକଳାର ବର୍ଗମାଳାକୁ ଉପଭୋଗ କରିବା ସହିତ ୱାଇ୬୪: ୱିସ୍ପର୍ସ ଅଫ ଦି ଅନସିନ୍\’ ନାମକ ବୃତିଚିତ୍ର ମଧ୍ୟ ଦେଖିଛନ୍ତି, ଯାହା ଯୋଗିନୀ ଉପାସନା ସହ ଜଡ଼ିତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କଥାବସ୍ତୁ ଉପରେ ଆଲୋକପାତ କରୁଛି । ଏକ ଅଣ-ବ୍ୟାବସାୟିକ ସାର୍ବଜନୀନ ପ୍ରୟାସ ଭାବରେ ପରିକଳ୍ପିତ ଏହି ପ୍ରଦର୍ଶନୀ ଦର୍ଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ (ମାଗଣା) ରଖାଯାଇଛି । ଏହାବ୍ୟତୀତ ଯୋଗିନୀ ଐତିହ୍ୟକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟକୁ ଗୁରୁତ୍ୱ ଦେଇ ଏଠାରେ କୌଣସି ବି କଳାକୃତିକୁ ବିକ୍ରୟ ପାଇଁ ରଖାଯାଇନାହିଁ ।
ହୀରାପୁର ଯୋଗିନୀ ମନ୍ଦିରର ପବିତ୍ର ପରମ୍ପରା ଦ୍ୱାରା ଅନୁପ୍ରାଣିତ ହୋଇ ଅଙ୍କାଯାଇଥିବା ‘ମହାମାୟା\’ଙ୍କ ଚିତ୍ର ଏହି ପ୍ରଦର୍ଶନୀର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା । ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟକୁ ଉଦ୍ଯାପନ କରିବା ସହିତ, ଏହି କଳାକୃତି ସୃଷ୍ଟି, ରୂପାନ୍ତର ଏବଂ ଦୈବୀ ନାରୀ-ଶକ୍ତିର ମହାଜାଗତିକ ବଳକୁ ପ୍ରତୀକାତ୍ମକ ଭାବରେ ପ୍ରତିନିଧିତ୍ୱ କରୁଛି ।
ଭୁବନେଶ୍ୱର ପର୍ଯ୍ୟାୟରେ ବ୍ୟାପକ ପ୍ରଶଂସା ସାଉଁଟିବା ସହିତ, ‘ଏକା-ଦି ୱାନ୍\’ ସମସାମୟିକ କଳା, କାହାଣୀ କଥନ ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ମାଧ୍ୟମରେ ଭାରତର ପବିତ୍ର ନାରୀ-ଶକ୍ତି ଐତିହ୍ୟକୁ ପୁନରୁଦ୍ଧାର ଏବଂ ପ୍ରୋତ୍ସାହିତ କରିବାର ନିଜର ଅଭିଯାନ ଜାରି ରଖିଛି ।
Comments are closed, but trackbacks and pingbacks are open.