ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା ୧୧ଟି ଜିଲ୍ଲାରେ ଚଳିତମାସର ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରିବା ଲାଗି ସରକାରଙ୍କ ନିଷ୍ଠତ୍ତି ଆଜିଠାରୁ ଲାଗୁ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନୟାଗଡ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର, ଖୋର୍ଦ୍ଧା, ପୁରୀ ଓ କଟକ । ସଟ୍ଡାଉନ୍ ସମୟରେ କେଉଁ କାର୍ଯ୍ୟ ଓ କେଉଁ ବ୍ୟକ୍ତିଙ୍କୁ ଏଥିରୁ ଛାଡ ମିଳିବ ସେ ନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରି ପାରିବେ। ସେହିପରି ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ । ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ ଖୋଲା ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପ ସବୁକୁ ସଟ୍ଡାଉନ୍ରୁ ବାଦ ଦିଆଯିବ ।
ରୋସ୍ତୋରାଁ ଏବଂ ଜୋମାଟୋ, ସ୍ୱିଗି ଆଦି ସଂସ୍ଥା ଦ୍ୱାରା ଘରେ ଖାଦ୍ୟ ଡେଲିଭରି କାମ ଚାଲୁ ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସକୁ ଯାଇପାରିବେ । ତେବେ ସକାଳ ୫ ଟାରୁ ସକାଳ ୮ ଟା ମଧ୍ୟରେ ଖବରକାଗଜ ହକର ମାନଙ୍କୁ କାମ କରିବାକୁ ଅନୁମତି ମିଳିଛି ।
ଏଲ୍ପିଜି ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍ଡାଉନ୍ ନିୟମ
ଲାଗୁ ହେବନାହିଁ । ତେବେ ସଟ୍ଡାଉନ ସମୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ଚଳିତମାସରେ ସମସ୍ତ କାର୍ଯ୍ୟଦିବସ ଥିବା ଶନିବାର ଦିନ ହାଇକୋର୍ଟ ଓ ସଂପୃକ୍ତ ୧୧ଟି ଜିଲ୍ଲାରେ ନିମ୍ନ ଅଦାଲତ ସମେତ କୋର୍ଟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । ହାଇକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।