ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ୧୯୫୦ ସଦସ୍ୟତା ହାସଲ
ନରେନ୍ଦ୍ରପୁର, ଡିସେମ୍ବର ୧୫, ୨୦୨୨: ଟାଟା ଷ୍ଟିଲ ଫାଉଣ୍ଡେସନ୍, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ର କୁଶୁପଙ୍ଗା ଗ୍ରାମରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ କଳିଙ୍ଗନଗରର ମୁଖ୍ୟ ପ୍ରୋକ୍ୟୁରମେଣ୍ଟ ଅଧିକାରୀ ନିନା ସିଂହ ମୁଖ୍ୟ ଅତିଥି ଓ କୁଶପଙ୍ଗା ପଞ୍ଚାୟତର ସରପଞ୍ଚ ଅନୀତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକାରୀ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହାୟତାରେ ଡବ୍ଲୁଇଇ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଜୀବିକାକୁ ସୁଦୃଢ କରିବା ସହିତ ସେମାନଙ୍କୁ ସଶକ୍ତ କରାଯାଇପାରିଛି ।
ଏହି ଅବସରରେ ସଦସ୍ୟମାନଙ୍କୁ ସମ୍ବୋଧନ କରି ଶ୍ରୀମତି ସିଂହ କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ଆର୍ଥିକ ରୂପେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି, ଏହା ମହିଳାମାନଙ୍କୁ ଆତ୍ମବିଶ୍ୱାସ, ଆତ୍ମସମ୍ମାନ ପ୍ରଦାନ କରିବା ସହିତ ଜୀବନରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥାଏ । ଏହି ସମବାୟ ସଂସ୍ଥାକୁ ଏକ ଆତ୍ମନିର୍ଭରଶୀଳ ଅନୁଷ୍ଠାନ ଭାବେ ସ୍ଥାପିତ କରିବା ପାଇଁ ଉଦୀୟମାନ ଉଦ୍ୟୋଗୀ, ସମବାୟ ସଂସ୍ଥାର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) କୁ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀମତି ନାୟକ ଉପସ୍ଥିତ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରୁ ଲାଭ ନେବା ସହିତ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ନିଜ ପରିବାରକୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।
ଟିଏସ୍ଏମ୍ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ପାଇଁ ୨୦୧୮ ମସିହାରେ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ସ୍ଥାପନ କରାଯାଇଥିଲା । ପ୍ରାରମ୍ଭରେ ପ୍ରାୟ ୪୦୦ ଜଣ ମହିଳା ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ଏହି ସଂସ୍ଥା ୩ ବର୍ଷ ମଧ୍ୟରେ ୫ ଗୁଣା ବୃଦ୍ଧି ପାଇ ୧୯୫୩ ସଦସ୍ୟତା ହାସଲ କରିଛି । କାରଖାନା ପାଶ୍ୱର୍ବର୍ତ୍ତୀ ପ୍ରାୟ ୨୪ଟି ଗ୍ରାମର ମହିଳା ବିଭିନ୍ନ ପ୍ରକାର ଉଦ୍ୟୋଗ ଯଥା ଛତୁ ଚାଷ, ଫିନାଇଲ ପ୍ରସ୍ତୁତି, କୁକୁଡ଼ା ପାଳନ, ଧୂପକାଠି ପ୍ରସ୍ତୁତି, ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ, ଛେଳି ପାଳନ, ଛୋଟ ଦୋକାନ ଓ ପନିପରିବା ବିକ୍ରୟ ଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
କୋଭିଡ ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ସମବାୟ ସଂସ୍ଥାର ୬୮୭ ଜଣ ମହିଳା ଉଦ୍ୟୋଗୀ ପ୍ରାୟ ୮.୫୦ ଲକ୍ଷ ଟଙ୍କାର ଲାଭ ହାସଲ କରିବାରେ ସଫଳ ହୋଇଥିଲେ । ଟାଟା ଷ୍ଟିଲ ମେରାମଣ୍ଡଳୀ ଏବଂ ଅନ୍ୟ ଅନୁଷ୍ଠାନମାନଙ୍କ ସହିତ ବ୍ୟବସାୟିକ ସଂଯୋଗୀକରଣ ଏହି ସଂସ୍ଥା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଏକ ପ୍ରମୁଖ ସଫଳତା । ବ୍ୟାଙ୍କ୍ମାନଙ୍କ ସହିତ ସଫଳ ସଂଯୋଗୀକରଣ ଯୋଗୁଁ ଏହି ସମବାୟ ସଂସ୍ଥାର ସଦସ୍ୟମାନେ ଲଘୁ-ଉଦ୍ୟୋଗ ସ୍ଥାପନ ପାଇଁ ବିଭିନ୍ନ ବ୍ୟାଙ୍କ୍ରୁ ପ୍ରାୟ ୪ କୋଟି ଟଙ୍କାର ଋଣ ହାସଲ କରି ବିଭିନ୍ନ ଉଦ୍ୟୋଗ ଆରମ୍ଭ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।
Comments are closed, but trackbacks and pingbacks are open.