ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା

0 86

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା ରହିଛି । ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କରୋନାର ତୃତୀୟ ଲହରର ସମ୍ଭାବନା କମ୍‍ଥିବାରୁ ପର୍ଯ୍ୟାୟକ୍ରମେ ଏହି ଶ୍ରେଣୀଗୁଡ଼ିକ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ କରିବାକୁ ବିଚାର କରାଯାଉଛି ।

ଏକକାଳୀନ ସବୁ ଶ୍ରେଣୀକୁ ନଖୋଲି ପ୍ରଥମେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯିବ । ପରବର୍ତ୍ତୀ ସମୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ସରକାରୀ ସ୍ତରରେ ବିଚାରବିମର୍ଷ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସେହିଭଳି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ନଭେମ୍ବର ୧୫ରୁ ସ୍ନାତକୋତ୍ତର ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶ୍ରେଣୀଗୃହରେଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ନୂତନ ମାର୍ଗଦର୍ଶିକା ଅନୁସାରେ ସହରାଞ୍ଚଳରେ ସାନ୍ଧ୍ୟ ଆଇନ୍‍ ପୂର୍ବପରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏବଂ ସମସ୍ତ ପ୍ରକାର ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ତେବେ ସାନ୍ଧ୍ୟ ଆଇନ୍‍ ସମୟରେ ସମସ୍ତ ଜରୁରୀ ସେବା ଉପଲବ୍ଧ ହେବ ।

Leave A Reply