ଜନ-ଔଷଧି ପରିଯୋଜନାରେ ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ

0 499

ନୂଆଦିଲ୍ଲୀ:କେନ୍ଦ୍ରୀୟ ରସାୟନ ଓ ଉର୍ବରକ ଏବଂ ସଂସଦୀୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଆଜି ଏଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଶତକଡା ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧା ଶୁଭାରମ୍ଭର ଘୋଷଣା କରିଛନ୍ତି । ଏହି ସୁଲଭ ସାନିଟାରୀ ନାପକିନ ସମଗ୍ର ଦେଶର ୩୨୦୦ ଜନଔଷଧି କେନ୍ଦ୍ରରେ ପ୍ରତି ପ୍ୟାଡ ପିଛା ଦୁଇ ଟଙ୍କା ୫୦ ପଇସା ମୂଲ୍ୟରେ ଉପଲବ୍ଧ ହେବ ଏବଂ ଏହା ଭାରତର ବଂଚିତ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ସୁବିଧା ସୁନିଶ୍ଚିତ କରିବ । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଅନନ୍ତ କୁମାର କହିଲେ ଯେ ଔଷଧ ବିଭାଗ ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ସାକାର କରିବ ।

ଶ୍ରୀ ଅନନ୍ତ କୁମାର କହିଲେ ଯେ ଆନ୍ତର୍ଜାତିକ ମହିଳା ଦିବସରେ ସମସ୍ତ ମହିଳାମାନଙ୍କ ପାଇଁ ଏହା ହେଉଛି ଏକ ବିଶେଷ ଉପହାର କାରଣ ଏହି ଅମୂଲ୍ୟ ଉତ୍ପାଦ ସୁଲଭ ଏବଂ ସ୍ୱାସ୍ଥ୍ୟକର ହେବା ସହିତ ଏହାର ବ୍ୟବହାର ମଧ୍ୟ ସହଜ । ସେ କହିଲେ ଯେ 2018 ମେ ମାସ 28 ତାରିଖରୁ ଆନ୍ତର୍ଜାତିକ ମାସିକ ଧର୍ମ ସ୍ୱଚ୍ଛତା ଦିବସରୁ ଦେଶର ସମସ୍ତ ଜନ-ଔଷଧି କେନ୍ଦ୍ରରେ ସୁବିଧାରେ ଏହି ନାପକିନ ବିକ୍ରି ପାଇଁ ଉପଲବ୍ଧ ହେବ ।

ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ 2015-16 ଅନୁଯାୟୀ 15 ରୁ 24 ବର୍ଷ ପର୍ଯ୍ୟନ୍ତ 58 ପ୍ରତିଶତ ମହିଳା ସ୍ଥାନୀୟ ଅଂଚଳରେ ପ୍ରସ୍ତୁତ ନାପକିନ, ସାନିଟାରି ନାପକିନର ବ୍ୟବହାର କରିଥାନ୍ତି । ସହରାଂଚଳର 78 ପ୍ରତିଶତ ମହିଳା ମାସିକ ଧର୍ମ ସମୟରେ ସୁରକ୍ଷା ପାଇଁ ସୁସ୍ଥ ବିଧିକୁ ଆପଣେଇଥାନ୍ତି । ଗ୍ରାମୀଣ ଅଂଚଳର କେବଳ 48 ପ୍ରତିଶତ ମହିଳା ସଫା ସୁତୁରା ସାନିଟାରୀ ନାପକିନର ବ୍ୟବହାର କରିପାରିଥାନ୍ତି ।

ଶ୍ରୀ ଅନନ୍ତ କୁମାର କହିଲେ ଯେ ଏହା ସେହି ମହିଳାମାନଙ୍କର ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ଅତି ମହତ୍ୱପୂର୍ଣ୍ଣ ଆବଶ୍ୟକତା, ଯେଉଁମାନେ କି ଆଜିର ବଜାରରେ ଉପଲବ୍ଧ ପ୍ରସିଦ୍ଧ ବ୍ରାଣ୍ଡର ସାନିଟାରୀ ନାପକିନ ନପାଇବା କାରଣରୁ ଏବେ ମଧ୍ୟ ମାସିକ ଧର୍ମ ସମୟରେ ଅସ୍ୱାସ୍ଥ୍ୟକର ସାଧନର ବ୍ୟବହାର କରନ୍ତି । ଏପରି ଅସ୍ୱାସ୍ଥ୍ୟକର ସାଧନର ବ୍ୟବହାର ଫଳରେ ମହିଳାମାନଙ୍କୁ ଅନେକ ବେମାରୀ ହୋଇଥାଏ ଏବଂ ସେମାନେ ବନ୍ଧ୍ୟାକରଣର ମଧ୍ୟ ଶିକାର ହୋଇଥାନ୍ତି । ସେ କହିଲେ ଯେ ବଜାରରେ ଉପଲବ୍ଧ ଆଜି କାଲିର ଅଣ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ପରିବେଶ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । ସେ କହିଲେ ଯେ ସମ୍ପୂର୍ଣ୍ଣ ଭାବେ ବାୟୋ ଡିଗ୍ରେଡେବୁଲ ସୁବିଧା ନାପକିନ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବ ।

ଏହି ସୁଯୋଗରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ରସାୟନ ଓ ସାର, ସଡ଼କ ପରିବହନ ଏବଂ ରାଜମାର୍ଗ, ଜାହାଜ ପରିବହନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡଭୀୟ ଗଣମାଧ୍ୟମକୁ ଅକ୍ସୋ-ବାୟୋଡିଗ୍ରେଡେବୁଲ ଶବ୍ଦ ସମ୍ବନ୍ଧରେ ବ୍ୟାପକ ଭାବେ ବୁଝାଇଥିଲେ । ସେ କହିଲେ ଯେ ସୁବିଧା ଜନକ ନାପକିନରେ ଏକ ବିଶେଷ ପ୍ରକାରର ପଦାର୍ଥ ମିଶାଯାଇଥାଏ, ଯାହାର ବ୍ୟବହାର ଫଳରେ ଅମ୍ଳଜାନ ସମ୍ପର୍କରେ ଆସି ଏହା ବାୟୋଡିଗ୍ରେଡେବୁଲ ହୋଇଯାଇଥାଏ । ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ସମ୍ପ୍ରତି ବଜାରରେ ଉପଲବ୍ଧ କୌଣସି ସାନିଟାରୀ ନାପକିନ ଉପକରଣର ପ୍ୟାଡ ପିଛା ମୂଲ୍ୟ ହେଉଛି ହାରାହାରି 8 ଟଙ୍କା, ଯେତେବେଳେ କି ସୁବିଧା ନାପକିନର ମୂଲ୍ୟ ହେଉଛି ପ୍ୟାଡ ପିଛା 2.50 ପଇସା ।

ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅନ୍ତର୍ଗତ ଆପୂର୍ତ୍ତି ଶୃଙ୍ଖଳା ପ୍ରବନ୍ଧନ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶ୍ରୀ ମାଣ୍ଡଭୀୟ କହିଲେ ଯେ ମନ୍ତ୍ରଣାଳୟ ଆପୂର୍ତ୍ତି ଶୃଙ୍ଖଳା ଉପରେ ଲଗାତର ନଜର ରଖୁଛି ଏବଂ ଅନଲାଇନ ଟ୍ରାକିଂ ସଫ୍ଟୱେୟାର ଜରିଆରେ ପର୍ଯ୍ୟବେକ୍ଷଣ କରୁଛି, ଯାହା ଫଳରେ କି ସମଗ୍ର ଦେଶରେ PMBJP କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଉପଲବ୍ଧ କରାଇବା ସୁନିଶ୍ଚିତ କରାଯାଇ ପାରିବ ।

ଏହି ଅବସରରେ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଔଷଧ ବିଭାଗର ସଚିବ ଶ୍ରୀ ଜେପି ପ୍ରକାଶ, ବିପିପିଆଇର ସିଇଓ ଶ୍ରୀ ବିପ୍ଳବ ଚାଟାର୍ଜୀ ଉପସ୍ଥିତ ଥିଲେ ।

Leave A Reply