ତେବେ ଋଣର ସଦୁପଯୋଗ ହେଉନାହିଁ -ଖାଲି ଋଣ ଦେଲେ ମହିଳାମାନେ ସଶକ୍ତ ହେବେ ନାହିଁ

183


ବିଧାନସଭାରେ ଗତକାଲି ମିଶନଶକ୍ତି ବିଭାଗକୁ ନେଇ ବିରୋଧୀ
ସଦସ୍ୟଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବରେ ଉଭୟ ଶାସକ ଓ
ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାଗ
ନେଇ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟରେ ସରକାର
ମିଶନଶକ୍ତିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ
ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ମହିଳା ସଶକ୍ତିକରଣ
ନାଁରେ କୋଟିକୋଟି ଟଙ୍କା ଲୁଟ୍‍ ହେଉଛି । ସ୍ୱୟଂସହାୟକ ଗୋଷ୍ଠୀକୁ ଯେଉଁ
ଉଦ୍ଦେଶ୍ୟରେ ଋଣ ଦିଆଯାଉଛି, ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଉ
ନାହିଁ । ସେଥିପାଇଁ ସେମାନେ ଋଣ ପରିଶୋଧ କରିପାରୁ ନାହାନ୍ତି ବୋଲି
ସେ ଅଭିଯୋଗ କରିଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ
ମାଝି କହିଥିଲେ ମହିଳା ସଶକ୍ତିକରଣ ପାଇଁ ୨୦୧୭ ମସିହାରେ
ନିର୍ଦ୍ଦେଶାଳୟ ଖୋଲାଯାଇଥିଲା । ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ
ବ୍ୟାଙ୍କ ଜରିଆରେ ଋଣ ଦିଆଯାଉଛି । ତେବେ ଋଣର ସଦୁପଯୋଗ
ହେଉନାହିଁ । ଖାଲି ଋଣ ଦେଲେ ମହିଳାମାନେ ସଶକ୍ତ ହେବେ ନାହିଁ ।
ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସେମାନଙ୍କୁ ସଶକ୍ତ
କରିବାର ଆବଶ୍ୟକତା ରହିଛି ।
ଅପରପକ୍ଷରେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‍ କହିଛନ୍ତି ରାଜ୍ୟରେ
ମିଶନଶକ୍ତି କାର୍ଯ୍ୟକ୍ରମ ୨୦୦୧ରୁ ଆରମ୍ଭ ହୋଇଛି । ମିଶନଶକ୍ତି
ମାଧ୍ୟମରେ ମହିଳାମାନେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ରାଜ୍ୟରେ
୭୦ଲକ୍ଷରୁ ଊଦ୍ଧ୍ୱର୍ ମହିଳା ଏହା ମାଧ୍ୟମରେ ସଶକ୍ତ ହୋଇପାରିଛନ୍ତି ।
ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକର ବ୍ୟାଙ୍କ ଋଣ ପରିମାଣ ବର୍ଷକୁ ବର୍ଷ ବୃଦ୍ଧି
ପାଇଁ ଚଳିତବର୍ଷ ଏପର୍ଯ୍ୟନ୍ତ ୯ ହଜାର ୫୧୦ କୋଟି ଟଙ୍କାରେ ପହଞ୍ଚି
ପାରିଛି ।

Comments are closed, but trackbacks and pingbacks are open.