ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି

0 420

ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି – ଏ ନେଇ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଜବାବ୍‍ ତଲବ କରିଛନ୍ତି । ଅଭିଯୁକ୍ତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ବର୍ତ୍ତମାନ ମାମଲାର ସ୍ଥିତି ତଦନ୍ତର ଅଗ୍ରଗତି ସମ୍ପର୍କିତ ଦସ୍ତାବିଜ୍‍ ୧୦ ଦିନ ମଧ୍ୟରେ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସାକ୍ଷାତ୍‍ କରିଛନ୍ତି । ଶ୍ରୀ ପାତ୍ର କମିସନଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହିତ ଏହି ମାମଲାରେ ଅଙ୍ଗଚୋରି ହୋଇଛି ନା ନାହିଁ, ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଏଥିରେ ସଂପୃକ୍ତି ଅଛି କି ନାହିଁ ଏହାର ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି । ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସମ୍ମୁଖରେ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅନ୍ୟପକ୍ଷରେ ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ଆଜି ବି.ଜେ.ପି.ର ୧୮ ଜଣିଆ ବିଧାୟକଦଳ ପରୀର ଗ୍ରାମ ଯଦୁପୁରକୁ ଯାଇଥିଲେ । ସେଠାରେ ପରୀର ପରିବାର ବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି । ଏଥିସହ ପରୀର ମୃତଦେହ ଯେଉଁ ପୋଖରୀ କୂଳରେ ମିଳିଥିଲା ସେଠାକୁ ମଧ୍ୟ ପ୍ରତିନିଧି ଦଳ ଯାଇ ପରିଦର୍ଶନ କରିଥିଲେ । ପରୀ ପରିବାରକୁ ଉଚିତ୍‍ ନ୍ୟାୟ ପ୍ରଦାନ, ହତ୍ୟାକାଣ୍ଡର ସି.ବି.ଆଇ. ତଦନ୍ତ ସହ ଅଭିଯୁକ୍ତକୁ ଗିରଫ କରା ନଯିବା ଯାଏ ବି.ଜେ.ପି. ଆନ୍ଦୋଳନ ଚାଲୁ ରଖିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ।

ପରୀଭଳି ରାଜ୍ୟର ୫ହଜାର ୩୩୮ ଜଣ ଶିଶୁ ନିଖୋଜ ଥିବାରୁ ସେସବୁର ମଧ୍ୟ ସି.ବି.ଆଇ ଦ୍ୱାରା ତଦନ୍ତ କରାଯିବାର ସେମାନେ ଦୃଢ଼ ଦାବୀ କରିଥିଲେ । ଆଜି ଗସ୍ତ କରିଥିବା ଏହି ପ୍ରତିନିଧି ମଣ୍ଡଳରେ ବିରୋଧି ଦଳର ନେତାଙ୍କ ସମେତ ମୁଖ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜୟନାରାୟଣ ମିଶ୍ର, କୁସୁମ ତେଟେ ପ୍ରମୁଖ ରହିଥିଲେ ।

 

 

Leave A Reply