ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‍ଫେଡ୍‍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ଉଦ୍‍ଘାଟନ କରିଛନ୍ତି

0 92

କଟକ ଜିଲ୍ଲାରର ଅରିଲୋଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‍ଫେଡ୍‍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ଉଦ୍‍ଘାଟନ କରିଛନ୍ତି । ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ଦୈନିକ ୨ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏଥିସହିତ ଉଚ୍ଚମାନର
ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନିର ଓ ଫ୍ଲେବଡ ମିଲ୍କ ଉତ୍ପାଦନ କରାଯାଇ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓମ୍‍ଫେଡ୍‍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀମାନଙ୍କର ନିଜ ଅନୁଷ୍ଠାନ ।

ଏହାର ବିକାଶରେ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କର ଅବଦାନ ରହିଛି । ଏହି ନୂଆ ପ୍ଲାଣ୍ଟ ଉଦ୍‍ଘାଟନ ଦ୍ୱାରା ଦୁଗ୍ଧ ଚାଷୀମାନଙ୍କର ରୋଜଗାର ବଢ଼ିବ ଏବଂ ଏଥିରେ ପ୍ରାୟ ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶ୍ୱେତବିପ୍ଳବ ଆଣିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟକରିବାକୁ ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଡାଏରୀ ଫାର୍ମ ଓ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି ।


ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟରେ ବିକାଶରେ ଭାଗିଦାର ହେବାପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

Leave A Reply