ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଆଜି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶକ୍ତିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ୍ ସେମାନଙ୍କ ନାମ ସୁପାରିଶ କରିଥିଲେ ଓ ଚଳିତ ମାସ ୧୩ ତାରିଖରେ ତିନିଜଣଙ୍କ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଏହି ତିନି ଜଣ ବିଚାରପତି ଶପଥ ନେବା ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ରାଜ୍ୟ ଗୃହ ସଚିବ ସଞ୍ଜୀବ ଚୋପ୍ରା ବିଚାରପତିମାନଙ୍କ ନିଯୁକ୍ତି ସଂକ୍ରାନ୍ତ ରାଷ୍ଟ୍ରପତିଙ୍କ ୱାରେଣ୍ଟ ପାଠ କରିଥିଲେ ।
ଓଡ଼ିଶା ହାଇକୋର୍ଟ ନୂତନ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତିବୃନ୍ଦ, ଆଇନ୍ମନ୍ତ୍ରୀ ପ୍ରତାପ ଜେନା, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିବୃନ୍ଦ, ରାଜ୍ୟ ମୁଖ୍ୟ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଆଡ୍ଭୋକେଟ୍ ଜେନେରାଲ ଅଶୋକ ପରିଜା, କଟକ-ଭୁବନେଶ୍ୱର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଡିସିପି ପ୍ରତୀକ ସିଂହ ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ ।