୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ଆଜି ୨୨ ବର୍ଷ ପୂରଣ ହୋଇଛି । ତେବେ ଏହି ମହାବାତ୍ୟାରେ ଉପକୂଳ ଜିଲ୍ଲା ଜଗତ୍ସିଂହପୁର ବେଶ୍ ପ୍ରଭାବିତ ହୋଇଥିଲା । ସମଗ୍ର ଜିଲ୍ଲାରେ ବିଶେଷ କରି ଏରସମା ବ୍ଲକରେ ଏହି ପ୍ରଳୟଙ୍କାରୀ ମହାବାତ୍ୟା ତାଣ୍ଡବ ରଚି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା ।
ବହୁ ଧନସମ୍ପତ୍ତି ନଷ୍ଟ ହେବା ସହ ଅନେକ ଲୋକ ଏଥିରେ ପ୍ରାଣ ହରାଇଥିଲେ । ଏରସମା ଅଞ୍ଚଳରେ ପ୍ରାୟ ୧୦ ହଜାର ଲୋକ ଜୀବନ ହରାଇଥିଲେ । ମହାବାତ୍ୟାର ବେଗ ପ୍ରାୟ ୩୦୦ କିଲୋମିଟର ଥିବାବେଳେ ଏରସମା, କୁଜଙ୍ଗ ଓ ବାଲିକୁଦାର ଉପକୂଳ ଅଞ୍ଚଳ ଲୁଣା ପ୍ଲାବିତ ହୋଇଥିଲା ।
ସେ ସମୟର ଲୋମଟାଙ୍କୁରା ପ୍ରାକୃତିକ ବିପର୍ଯ୍ୟୟ ଏବେ ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଆସୁଛି । ସେ ଦିନର ସେହି ପ୍ରାକୃତିକ ଦୁର୍ବିପାକରେ ମୃତକଙ୍କ ସ୍ମୃତିରେ ଆଜି ସନ୍ଧ୍ୟାରେ ଏରସମା ଅଞ୍ଚଳର ବିଭିନ୍ନ ସ୍ଥାନରେ ସାମୂହିକ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।