ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ମଠବାଡି ସମେତ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ବହୁ ସଂଖ୍ୟକ ଭକ୍ତ ବିଭିନ୍ନ ମନ୍ଦିରକୁ ଯାଇ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ପାରମ୍ପରିକ ରୀତିମତେ ଆଜି ବଡଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତ ନୀତି ହୋଇଥିବାରୁ ତାହାକୁ ଯେପରି କେହି ସାଧାରଣ ଭକ୍ତ ଦେଖି ନ ପାରିବେ ସେଥିଲାଗି କଟକଣା ଜାରି କରାଯାଇଛି । ସନ୍ଧ୍ୟାଆଳତୀ ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହା ଏକ ଗୁପ୍ତନୀତି ହୋଇଥିବାରୁ ସଂଧ୍ୟା
୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରର ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶ୍ରୀକୃଷ୍ଣଙ୍କୁ ସର୍ବସାଧାରଣ ଭକ୍ତମାନେ ଦର୍ଶନ କରିବା ଲାଗି ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିରରେ ଆୟୋଜିତ ହେବାକୁ ଥିବା ନନ୍ଦୋତ୍ସବ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
Comments are closed, but trackbacks and pingbacks are open.