ନୂଆଦିଲ୍ଲୀ ୨୬।୦୨।୨୦୨୦୦ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଭାରତଗସ୍ତର ଆଜି ଦ୍ୱିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ଘଟିଛି। ଦିଲ୍ଲୀ ସ୍ଥିତ ହାଇଦରାବାଦ ହାଉସରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ୨୧୦୦୦କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇଦେଶର ପ୍ରତିନିଧି ମଧ୍ୟ ଏହି
ଅବସରରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଫଳରେ ଆମେରିକା ଭାରତକୁ ଅତ୍ୟାଧୁନିକ ସାମରିକ ଉପକରଣ ଯୋଗାଇ ଦେବ। ଏହା ବ୍ୟତୀତ ଖୁବ୍ ଶୀଘ୍ର ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତିରେ ଆଲୋଚନା ଆରମ୍ଭ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରୁ ଜଣାପଡିଛି।
ଉଭୟ ନେତା ଏହି ଚୁକ୍ତି ସ୍ୱାକ୍ଷର ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ହେବ। ସେହିଭଳି ନିଶାଦ୍ରବ୍ୟ ଚାଲାଣ, ଆତଙ୍କବାଦ ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟାଗୁଡିକ ସମ୍ପର୍କରେ ଏକ ନୂଆ ବ୍ୟବସ୍ଥା ଆଣିବା ଲାଗି ଦୁଇଦେଶ ମଧ୍ୟରେ ସହମତି ହୋଇଛି। ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆମେରିକା ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇଛି। ତେଣୁ ଖୁବ୍ ଶୀଘ୍ର ଏହା ଉପରେ ଏକ ବଡ ବାଣିଜ୍ୟିକ ଚୁକ୍ତି ଉପରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ତାଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଟ୍ରମ୍ପ ସପରିବାର ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।