ନୂଆଦିଲ୍ଲୀ .- ଆଇସିଟି-ଆଇଓଟି ଭିତ୍ତିକ ସଲ୍ୟୁସନର ନିର୍ମାତା ଓରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫାକଚରର୍ସ ଓ ପ୍ରମୁଖ ଷ୍ଟାର୍ଟଅପ୍ ଗୁଡ଼ିକ ସହ ଆଇଟିଆଇ ଲିମିଟେଡ ଏକ ବୁଝାମଣାରେ ସ୍ୱାକ୍ଷର କରିଛି । ଅତ୍ୟାଧୁନିକ ବେସାମରିକ ଓ ସାମରିକ ରାଡାର ସିଷ୍ଟମ, ଅତ୍ୟାଧୁନିକ ରାଉଟର ସିଷ୍ଟମ, ନେକ୍ସଟ ଜେନେରେସନ ୫ଏ ଟେକ୍ନୋଲୋଜି ଉତ୍ପାଦ, ତଥ୍ୟ ସଂରକ୍ଷଣ, ନେଟୱର୍କିଂ ସଲ୍ୟୁସନ୍ସ, ଡିଜିଟାଲ ସିକ୍ୟୁରିଟି ସଲ୍ୟୁସନ, ଆଡଭାନ୍ସଡ ମିଟରିଂ ସଲ୍ୟୁସନ୍ସ ଏବଂ ୱାଇ-ଫାଇ ପ୍ରଡକ୍ଟସ ଓ ସଲ୍ୟୁସନ୍ସ ଆଦି ଏହା ମଧ୍ୟରେ ଅର୍ନ୍ତଭୁକ୍ତ ।
ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ କେନ୍ଦ୍ର ସଞ୍ଚାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା, ଦୂରସଞ୍ଚାର ବିଭାଗ ସଚିବ ତଥା ଟେଲିକମ୍ କମିସନ ଅରୁଣା ସୁନ୍ଦରରାଜନ ଉପସ୍ଥିତ ଥିଲେ । ବେଙ୍ଗାଲୁରୁରେ ଆଇଟିଆଇର ପ୍ରଥମ ସଂସ୍କରଣ ଦୁଇ ଦିନିଆ ଆଇସିଟି ଏବଂ ଆଇଓଟି ଷ୍ଟାର୍ଟଅପ୍ ଟେକ୍ ଏକ୍ସପୋରେ ଏହା ସ୍ୱାକ୍ଷରିତ ହୋଇଥିଲା ।
ଟେକ୍ ଏକ୍ସପୋର ଉଦ୍ୟାପନୀ ଅବସରରେ ଶ୍ରୀ ସିହ୍ନା କହିଥିଲେ ଯେ, ୨୦ ହଜାର ଷ୍ଟାର୍ଟଅପ୍ ସହ ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମରେ ପରିଣତ ହୋଇଛି । ଆଇଟିଆଇ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରୁଥିବା ଦେଖି ମୁଁ ଅତ୍ୟନ୍ତ ଖୁସି । ଏଭଳି ପ୍ରଦର୍ଶନୀ ନୂତନ ଚିନ୍ତାଧାରାକୁ ବଜାର ଭିତ୍ତିକ ଉତ୍ପାଦ ଓ ସେବାରେ ପରିଣତ କରିବା ଦିଗରେ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଉତ୍ତମ ପ୍ଲାଟଫର୍ମ ହୋଇପାରିବ । ନୂତନ ବୁଝାମଣା ସ୍ୱାକ୍ଷର ଫଳରେ ଆଇଟିଆଇର ନିର୍ମାଣ ଦକ୍ଷତା ଷ୍ଟାର୍ଟଅପ୍ ଗୁଡ଼ିକୁ ସହାୟତା କରି ଏହାକୁ ନୂତନ ଦିଗ ଦେଇପାରିବ ।
ଭାରତକୁ ଆମଦାନୀ ହେଉଥିବା କିମ୍ବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟେଲିକମ୍ ଯନ୍ତ୍ରାଂଶଗୁଡ଼ିକର ବାଧ୍ୟତାମୂଳକ ପରୀକ୍ଷା ପାଇଁ ବେଙ୍ଗାଲୁରୁସ୍ଥିତ ପ୍ଲାଣ୍ଟରେ ଏକ ଟେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା ସକାଶେ ଆଇଟିଆଇ ଲିମିଟେଡ ନୂଆଦିଲ୍ଲୀର ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ସେଣ୍ଟର ସହ ମଧ୍ୟ ଏକ ବୁଝାମଣା କରିଛି । ଟେଲିକମ୍ ଟେଷ୍ଟିଂ ଲ୍ୟାବ ଅଧୀନରେ ବିଭିନ୍ନ ଲ୍ୟାବ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଏହି ଅବସରରେ ଭୂମି ପୂଜନ କରିଥିଲେ ।
ଦୂରସଞ୍ଚାର ବିଭାଗ ସଚିବ ତଥା ଟେଲିକମ୍ କମିସନ ଚେୟାରମ୍ୟାନ୍ ଶ୍ରୀମତୀ ଅରୁଣା ସୁନ୍ଦରରାଜନ ତାଙ୍କ ଉଦବୋଧନରେ କହିଥିଲେ ଯେ, ନ୍ୟାସନାଲ ଡିଜିଟାଲ କମ୍ୟୁନିକେସନ୍ସ ନୀତି-୨୦୧୮ର ଚିଠା ପ୍ରସ୍ତାବରେ ଡିଜିଟାଲ କମ୍ୟୁନିକେସନର ଯନ୍ତ୍ରାଂଶ ଘରୋଇ ଉଦ୍ୟୋଗରେ ନିର୍ମାଣ ସକାଶେ ଗୁରୁତ୍ୱ ଦିଆଯାଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ପର୍ୟ୍ୟାୟ କ୍ରମେ ଉଦ୍ୟମ କରିବା ସହ ଏଭଳି ଯନ୍ତ୍ରାଂଶ ଗୁଡ଼ିକୁ ଚିହ୍ନଟ କରିବା ହିଁ ଉଦ୍ଦେଶ୍ୟ । ସଞ୍ଚାର କ୍ଷେତ୍ରରେ ଭାରତୀୟ ଆଇପିଆର ସୃଷ୍ଟି କରିବାକୁ ଆଇଟିଆଇର ନୂତନ ନିର୍ମାଣ ପଦକ୍ଷେପ ଷ୍ଟାର୍ଟଅପ୍ ସହଯୋଗିତାରେ ଗୁରୁତ୍ୱ ଦେବା ଉଚିତ ।
ଆଇଟିଆଇ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କେ. ଆଲାଜସେନ୍ ଟେକ୍ ଏକ୍ସପୋ-୨୦୧୮ରେ ସାମିଲ ହୋଇଥିବା ଅଂଶୀଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପାରସ୍ପରିକ ଫାଇଦା ପାଇଁ ଆଇଟିଆଇ ସହ ସେମାନଙ୍କ ସହଯୋଗିତାକୁ ସ୍ୱାଗତ କରିଥିଲେ । କାର୍ୟ୍ୟକ୍ରମରେ ୫୦୦ରୁ ଅଧିକ ଷ୍ଟାର୍ଟଅପ୍ ଏବଂ ଟେକ୍ ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ ।