କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କାଳରେ ଶ୍ରୀ ମହାପାତ୍ର ଏହା କହିଛନ୍ତି । ସେ କହିଛନ୍ତି, ଏବେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ତେଣୁ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।
ଘରକୁ ଘର ଯାଇ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏଥିରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।
ବିଦେଶରୁ ଆସୁଥିବା ସବୁ ନାଗରିକଙ୍କର କରୋନା ପରୀକ୍ଷାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଏଥିସହ ସେମାନଙ୍କୁ ୧୦ ଦିନିଆ ସଙ୍ଗରୋଧରେ ମଧ୍ୟ ରହିବାକୁ ପଡ଼ିବ । କରୋନା ଭୂତାଣୁର ନୂଆ ରୂପ ‘ଓମିକ୍ରନ୍’ ଭାରତରେ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡ୍ଲାଇନ୍ରେ ଏହା କୁହାଯାଇଛି । ଏଥିସହିତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟି, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟକୁ ଅଧିକ ଗୁରୁତ୍ୱ ଦେବା ସହ ସମସ୍ତେ ଟିକା ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସ୍କୁଲ ଓ କଲେଜ୍ରେ କରୋନା ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ କୁହାଯାଇଛି ।