ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ
ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମରେ ପାକୟୋଙ୍ଗ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏହା ହେଉଛି ଏହି ହିମାଳୟ ରାଜ୍ୟର ପ୍ରଥମ ଏବଂ ଦେଶର ୧୦୦ ତମ ବିମାନବନ୍ଦର ।
ଏହି ଅବସରରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାକୁ ସିକ୍ମିମ ପାଇଁ ଏକ ଐତିହାସିକ ଏବଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ଅଭିହିତ କରିଥିଲେ । ସେ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ସହିତ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟା ୧୦୦ରେ ପହଂଚିଛି । ପ୍ରଧାନମନ୍ତ୍ରୀ ମଧ୍ୟ ସିକ୍କିମର ଯୁବ କ୍ରିକେଟର ନିଲେଶ ଲାମିଚାନେଙ୍କ ବିଷୟରେ କହିଥିଲେ, ଯିଏକି ରାଜ୍ୟର ପ୍ରଥମ କ୍ରିକେଟର ଭାବେ ବିଜୟ ହଜାରେ ଟ୍ରଫିରେ ଶତକ ହାସଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ଫଳରେ ସିକ୍କିମକୁ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ । ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେବା ନିଶ୍ଚିତ କରିବା ପାଇଁ ଏହି ବିମାନବନ୍ଦରକୁ ଉଡାନ ଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଦୃତଗତିରେ ସମଗ୍ର ଉତ୍ତର ପୂର୍ବାଂଚଳର ଭିତ୍ତିଭୂମି ଏବଂ ଭାବପ୍ରବଣଗତ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । ସେ ବ୍ୟକ୍ତିଗତ ଭାବେ ଅନେକ ଥର ବିକାଶ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉତ୍ତରପୂର୍ବାଂଚଳ ରାଜ୍ୟମାନଙ୍କୁ ଗସ୍ତ କରିଛନ୍ତି । ସେ ମଧ୍ୟ କହିଲେ ଯେ କେନ୍ଦ୍ର ମନ୍ତ୍ରୀମାନେ ନିୟିମତ ଭାବେ ଏହି ଅଂଚଳ ଗସ୍ତ କରିଥା’ନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଏହାର ଫଳ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ବାୟୁ ଓ ରେଳ ସଂଯୋଗ, ଭଲ ରାସ୍ତା, ବଡ ପୋଲ ନିର୍ମାଣ କ୍ଷେତ୍ରରେ ଉନ୍ନତି ଆସିଥିବା ପରିଲକ୍ଷିତ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଥିବା 100ଟି ବିମାନବନ୍ଦର ମଧ୍ୟରୁ ଗତ 4 ବର୍ଷ ମଧ୍ୟରେ 35ଟି କାର୍ଯ୍ୟକ୍ଷମ କରାଯାଇଛି ।
ଜୈବ କୃଷିରେ ସିକ୍କିମର ଅଗ୍ରଗତୀ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର “ଉତ୍ତର ପୂର୍ବାଂଚଳ ପାଇଁ ଜୈବିକ ମୂଲ୍ୟ ବିକାଶ ମିଶନ” (Mission Organic Value Development for North Eastern Region)ର ପ୍ରଚଳନ କରିଛନ୍ତି ।