ଓଡ଼ିଶାରେ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ

0 97

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଏଥିରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉକ୍ରୃଷ୍ଟ ସ୍ୱାସ୍ଥ୍ୟସେବା ପାଇପାରିବେ ।

ବିଭିନ୍ନ ମେଡିକାଲ୍‍ କଲେଜ ଏବଂ କର୍ପୋରେଟ୍‍ ହସ୍ପିଟାଲ୍‍ର ଦକ୍ଷ ଓ ସୁନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ବିଭିନ୍ନ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ ।

ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ଏହି ୪ଟି ଜିଲ୍ଲାର ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍‍-ଟି ସଚିବ ଭି. କାର୍ତ୍ତିକ ପାଣ୍ଡିଆନ୍‍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply