ଜାଣନ୍ତୁ ମା ଦୁର୍ଗାଙ୍କର ଅଷ୍ଟ ମାତୃକା ରୂପ ପୂଜା ଏବଂ ବିଶେଷତ୍ୱ
ବିଶ୍ୱାସ କରାଯାଏ ଦେବୀଶକ୍ତି ବା ମାତୃଶକ୍ତିର ଉପାସନା ଯେକୌଣସି ସଭ୍ୟତାର ଆଦିମତମ ସଂସ୍କୃତିରେ ବିରାଜମାନ ଥିଲା । ପ୍ରାଚୀନ ମୂର୍ତ୍ତି ଉପରେ ଗବେଷଣା କରୁଥିବା ମୂର୍ତ୍ତିତତ୍ତ୍ୱବିଦ୍ମାନଙ୍କ ଅନୁସାରେ ବର୍ତ୍ତମାନ ସମୟରେ ଯେଉଁ ଦଶଭୁଜା ବା ଅଷ୍ଟଭୁଜା ଦୁର୍ଗାଙ୍କୁ ଦଶହରା ଅବସରରେ ପୂଜାର୍ଚ୍ଚନା କରାଯାଉଛି ସେ ମଧ୍ୟ
ଜଣେ ଆଦିମ ମାତୃଶକ୍ତି । ହିନ୍ଦୁ ଶାସ୍ତ୍ରରେ ଦେବୀମାନଙ୍କୁ ବିଭିନ୍ନ ଦେବତାଙ୍କ ‘ଶକ୍ତି’ ବୋଲି ମନେ କରାଯାଏ । ଶାକ୍ତ ଉପାସକମାନଙ୍କ ବିଶ୍ୱାସ ଯେ ଦେବୀଶକ୍ତିର ଉପାସନା ମାଧ୍ୟମରେ ଦେବତାଙ୍କ ପାଖରେ ପହଞ୍ଚିବା ସମ୍ଭବ । ସେହି ଅର୍ଥରେ ଦେଖିବାକୁ ଗଲେ ଦୁର୍ଗାଙ୍କ ଉପାସନା ପ୍ରକୃତରେ ଶିବତ୍ୱ ପ୍ରାପ୍ତିର ସାଧନା ।
ଋକ୍ବେଦରୁ ନେଇ ରାମାୟଣ, ମହାଭାରତ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି ମାତୃକାମାନଙ୍କ କାହାଣୀ । କେଉଁଠି ମାତୃକାମାନଙ୍କ ସଂଖ୍ୟା ସାତ, କେଉଁଠି ବା ଆଠ । ତେବେ ସାଧାରଣତଃ ତନ୍ତ୍ରଶାସ୍ତ୍ରରେ
‘ଅଷ୍ଟମାତୃକା’ କଥା ଉଲ୍ଲେଖ ଥାଏ । ମାହେଶ୍ୱରୀ ବା ଦୁର୍ଗା ଏଇ ଆଠଜଣଙ୍କ ମଧ୍ୟରେ ଅନ୍ୟତମ । ବିଭିନ୍ନ ପୁରାଣ ଏବଂ ମହାଭାରତ ଅନୁସାରେ ମାତୃକାମାନଙ୍କ ଆବିର୍ଭାବଘଟିଥିଲା ବିଭିନ୍ନ ଅଶୁଭ ଶକ୍ତିର ବିନାଶ ଉଦ୍ଦେଶ୍ୟରେ ।
ସେହି କାରଣରୁ ପଞ୍ଚମ ଶତାବ୍ଦୀରେ ନିର୍ମିତ ବେଶ୍ କିଛି ମୂର୍ତ୍ତିରେସେମାନଙ୍କୁ ସ୍କସୁନ୍ଦର ବା ଦେବସେନାପତି କାର୍ତ୍ତିକଙ୍କ ସହିତ ଏକତ୍ର ଦେଖାଯାଏ । କେଉଁଠି ଅବା ଧନପତି କୁବେରଙ୍କ ମୂର୍ତ୍ତି ମଧ୍ୟ ସ୍ଥାନପାଏ ଏହି ମାତୃକାମାନଙ୍ସ ସହିତ । କେବଳ ଅଶୁଭ ଶକ୍ତି ବିରୁଦ୍ଧରେ ଲଢ଼େଇ ନୁହେଁ, ମାତୃକାମାନେ ସମ୍ପଦ ବୃଦ୍ଧିର ଆକାଂକ୍ଷା ସହିତ ମଧ୍ୟ ଯୁକ୍ତ ବୋଲି ମନେ କରାଯାଏ । ମହାଭାରତ ବ୍ୟତୀତ ଯେଉଁ ପୁରାଣଗୁଡ଼ିକରେ ମାତୃକାମାନଙ୍କ କଥା ବର୍ଣ୍ଣିତ ହୋଇଛି ତାହା ମଧ୍ୟରେ ‘ବରାହ ପୁରାଣ’, ‘ଅଗ୍ନି ପୁରାଣ’, ‘ମାର୍କଣ୍ଡେୟ ପୁରାଣ’ ଆଦି ଅନ୍ୟତମ ।ଏହା ବ୍ୟତୀତ ବିଭିନ୍ନ ତନ୍ତ୍ରଗ୍ରନ୍ଥରେ ଅଷ୍ଟମାତୃକାଙ୍କ ସଂପର୍କରେ ବର୍ଣ୍ଣନା ଓ ସେମାନଙ୍କ ପୂଜାବିଧି ଉଲ୍ଲେଖ ଅଛି ।
ଅଷ୍ଟମାତୃକାଙ୍କ ମଧ୍ୟରେ ସର୍ବପ୍ରଥମେ ରହିଛନ୍ତି ବ୍ରହ୍ମାଣୀ । ସେ ସୃଷ୍ଟିର ଦେବତା ବ୍ରହ୍ମାଙ୍କ ଶକ୍ତି । ତାଙ୍କଶରୀରର ବର୍ଣ୍ଣ ହଳଦିଆ । ବ୍ରହ୍ମାଙ୍କ ଭଳି ତାଙ୍କର ମଧ୍ୟ ଚାରୋଟି ମୁଣ୍ଡ । କେବେ ତାଙ୍କୁ ଚତୁର୍ଭୁଜା, ପୁଣି
କେବେ ଷଡ଼ଭୁଜା ଭାବରେ କଳ୍ପନା କରାଯାଏ । ତାଙ୍କ ହାତଗୁଡ଼ିକରେ ଶୋଭାପାଏ ଜପାମାଳି, କମଣ୍ଡଳୁ,ପଦ୍ମ, ଘଣ୍ଟା, ତ୍ରିଶୂଳ ଏବଂ ବେଦ । ତାଙ୍କ ବାହନ ହଂସ ।
କୌଣସି କୌଣସି ମୂର୍ତ୍ତିରେ ତାଙ୍କୁ ପଦ୍ମ ଉପରେ ବିବିରାଜମାନ କରିଥିବାର ଦେଖାଯାଏ । ପରବର୍ତ୍ତୀ ମାତୃକା ହେଉଛନ୍ତି ଦେବୀ ବୈଷ୍ଣବୀ । ସେ ସ୍ଥିତି ବା ଅସ୍ତିତ୍ୱର ଦେବତା ପାଳନକର୍ତ୍ତା ବିଷ୍ଣୁଙ୍କ ଶକ୍ତି । ବିଷ୍ଣୁଙ୍କ ବାହନ ଗରୁଡ଼ ଉପରେ ସେ ବିରାଜମାନ କରିଥାଆନ୍ତି । ତାଙ୍କର
ମଧ୍ୟ ଚାରୋଟି ବା ଛଅଟି ହାତ । ତାଙ୍କ ହାତରେ ଶୋଭା ପାଇଥାଏ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁ-ତୀର ।
କେବେ ପୁଣି ତାଙ୍କର ଗୋଟିଏ ହାତ ଅଭୟ ବର ପ୍ରଦାନ କରିବା ମୁଦ୍ରାରେ ଅବସ୍ଥାନ କରିଥାଏ । ଏହାପରେ ଆସନ୍ତି ମାହେଶ୍ୱରୀ ବା ଦେବୀ ଦୁର୍ଗା । ତାଙ୍କର ଏହି ରୂପଟି ପରିଚିତ ଦୁର୍ଗା ରୂପଠୁ କିଛିଟା ଭିନ୍ନ । ସେ ଶିବଙ୍କ ଶକ୍ତି । ଏହି କାରଣରୁ ତାଙ୍କୁ ରୁଦ୍ରାଣୀ ବା ଶିବାନୀ ନାମରେ ମଧ୍ୟ ସମ୍ବୋଧନ କରାଯାଏ । ସେ ମଧ୍ୟ ଚତୁର୍ଭୁଜା ବା ଷଡ଼ଭୁଜା । ତାଙ୍କ ବାହନ ନନ୍ଦୀ ନାମକ ବୃଷଭ ।
ମାହେଶ୍ୱରୀଙ୍କ ଶରୀରର ରଙ୍ଗ ଶ୍ୱେତ । ସେ ତ୍ରିନୟନୀ ।ତାଙ୍କ ହାତରେ ଥାଏ ତ୍ରିଶୂଳ, ଡମ୍ବୁରୁ, ଅକ୍ଷମାଳା,ପାନପାତ୍ର, ଖର୍ପର ଅଥବା କୁଠାର । ତାଙ୍କ ହାତରେକେବେ କେବେ ଗୋଟିଏ ସାପ ମଧ୍ୟ ଦେଖାଯାଏ ।ତାଙ୍କମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭା ପାଏ । ଅଷ୍ଟମାତୃକାଙ୍କମଧ୍ୟରେ ଆଉ ଜଣେ ହେଉଛନ୍ତି ଇନ୍ଦ୍ରାଣୀ । ସେ ଦେବରାଜ ଇନ୍ଦ୍ରଙ୍କ ଶକ୍ତି । ତାଙ୍କୁ ‘ଐନ୍ଦ୍ରୀ’ ମଧ୍ୟ କୁହାଯାଏ । ତାଙ୍କ ବାହନ ଶ୍ୱେତ ହସ୍ତୀ । ଇନ୍ଦ୍ରଙ୍କ ଭଳି ତାଙ୍କର ମଧ୍ୟ ସହସ୍ର ଚକ୍ଷୁ । ତାଙ୍କ ହାତର ସଂଖ୍ୟା କେତେବେଳେ
ଦୁଇ, କେତେବେଳେ ଚାରି ପୁଣି କେତେବେଳେ ଛଅ ।
ତାଙ୍କ ଗାତ୍ରବର୍ଣ୍ଣ କଳା ବା ଧୂସର । ତାଙ୍କ ହାତରେ ଥାଏବଜ୍ର, ପାଶ, ପଦ୍ମ । ଦେବ ସେନାପତି କାର୍ତ୍ତିକେୟଙ୍କରଶକ୍ତି କୁମାରୀ ନାମରେ ପରିଚିତ । ତାଙ୍କ ବାହନ ମୟୂର ।କେଉଁଠି ତାଙ୍କୁ ଚାରି ହାତ କେଉଁଠି ପୁଣି ୧୨ ହାତଯୁକ୍ତାଭାବେ ଦେଖାଯାଇଥାଏ । କେବେ କେବେ କାର୍ତ୍ତିକେୟଙ୍କ
ଭଳି ତାଙ୍କର ଛଅଟି ମସ୍ତକ ମଧ୍ୟ ଦେଖାଯାଏ । ବିଷ୍ଣୁଙ୍କ ବରାହ ଅବତାରର ଶକ୍ତି ହେଉଛନ୍ତି ଦେବୀ ବରାହୀ ।
ଏହି ଦେବୀଙ୍କ ମସ୍ତକ ବରାହ ଭଳି । ତାଙ୍କ ହାତରେ ଶୋଭା ପାଏ ଗୋଟିଏ ଦଣ୍ଡ, ବଜ୍ର ଲଙ୍ଗଳ, ପାନପାତ୍ର ଅଥବା ତରବାରି । କେଉଁଠି ପୁଣି ତାଙ୍କୁ ଘଣ୍ଟା, ଚକ୍ର, ଧନୁ ଓ ଚାମର ଧରିଥିବାର ବି ଦେଖାଯାଏ ।
ଅଷ୍ଟମାତୃକାଙ୍କ ତାଲିକାରେ ଅନ୍ୟତମ ହେଲେ ଚାମୁଣ୍ଡୀ ।
ସେ ମଧ୍ୟ ଶିବଙ୍କ ଶକ୍ତି । ମହାଦେବଙ୍କ ‘ଚାମୁଣ୍ଡ’ ରୂପର ଶକ୍ତି ହିସାବରେ ତାଙ୍କୁ କଳ୍ପନା କରାଯାଏ । ‘ଦେବୀ ମାହାତ୍ମ୍ୟ’ ଗ୍ରନ୍ଥରେ ତାଙ୍କୁ କାଳୀଙ୍କ ସହିତ ଅଭିନ୍ନ ବୋଲି ବର୍ଣ୍ଣନା କରାଯାଇଛି । ସେ ଘୋର କୃଷ୍ଣବର୍ଣ୍ଣା,
ମୁଣ୍ଡମାଳା ବିଭୂଷିତା । ତାଙ୍କ ହାତରେ ଥାଏ ଡମ୍ବୁରୁ, ତ୍ରିଶୂଳ, ଖଡ୍ଗ ଓ ପାନପାତ୍ର । ତାଙ୍କ ବାହନ ଶୃଗାଳ
ସେ ମଧ୍ୟ ତ୍ରିନୟନୀ । ମାତୃକାମାନଙ୍କ ମଧ୍ୟରେ ସର୍ବଶେଷ ହେଲେ ନରସିଂହୀ ବା ନୃସିଂହୀ । ସେ ବିଷ୍ଣୁଙ୍କ ନୃସିଂହ ଅବତାରର ଶକ୍ତି । ତାଙ୍କୁ ପ୍ରତ୍ୟଙ୍ଗିରା ମଧ୍ୟ କୁହାଯାଏ । ତାଙ୍କ ଶରୀର ମାନବୀ ଏବଂ ମସ୍ତକ ସିଂହୀର । କେଉଁ କେଉଁ ଶାସ୍ତ୍ରରେ ପୁଣି ମାତୃକା ତାଲିକାରେ ଚାମୁଣ୍ଡାଙ୍କୁ ଧରାଯାଏ ନାହିଁ । ସେହି ହିସାବରେ ପୁଣି ମାତୃକା ସଂଖ୍ୟା ସାତ । କେଉଁଠି ପୁଣି ନୃସିଂହୀଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି । ନେପାଳରେ ଅଷ୍ଟମ ମାତୃକା ହେଉଛନ୍ତି ମହାଲକ୍ଷ୍ମୀ । ‘ଦେବୀ ପୁରାଣ’ରେ ବିନାୟକୀ ନାମରେ ଜଣେ ମାତୃକାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ସେ ବିନାୟକ ବା ଗଣେଶଙ୍କ ଶକ୍ତି । ‘ଦେବୀ ମାହାତ୍ମ୍ୟ’ ଅନୁସାରେ ଶୁମ୍ଭ-ନିଶୁମ୍ଭ ବଧ ସମୟରେ ବ୍ରହ୍ମା, ଶିବ, କାର୍ତ୍ତିକ, ବିଷ୍ଣୁ ଓ ଇନ୍ଦ୍ରଙ୍କ ଶରୀରରୁ ନିର୍ଗତ ତେଜରୁ ଏହି ସବୁ ମାତୃତାମାନଙ୍କ ସୃଷ୍ଟି । ‘ଦେବୀ ଭାଗବତ’ରେ ପୁଣି ସପ୍ତମାତୃକାଙ୍କ ସହିତ ଆହୁରି ତିନି ମାତୃତାଙ୍କ ବିଷୟରେ ଉଲ୍ଲେଖ ରହିଛି । ମୂର୍ତ୍ତିତତ୍ତ୍ୱବିଦ୍ମାନଙ୍କ ଅନୁମାନ, ବୌଦ୍ଧ ତନ୍ତ୍ରର ବିକାଶ ସହିତ ମାତୃକାମାନଙ୍କ ଉପାସନାର ସଂପର୍କ ରହିଛି । ଦେହବାଦୀ ତନ୍ତ୍ରଶାସ୍ତ୍ର ଶରୀରର ବିଭିନ୍ନ ଅଂଶରେ ମାତୃକାମାନଙ୍କ ଅବସ୍ଥାନ କଳ୍ପନା କରିଥାଏ । ବର୍ଣ୍ଣମାଳାର ଅକ୍ଷରଗୁଡ଼ିକ ସହିତ ମଧ୍ୟ ମାତୃକାମାନଙ୍କ ଯୋଗ ରହିଛି ବୋଲି କିଛି ନିର୍ଦ୍ଦିଷ୍ଟ ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ହିନ୍ଦୁ ବା ବୌଦ୍ଧ ଦୁଇଟି ଯାକ ଧର୍ମରେ ଗୋଟିଏ କଥାରେ ସମାଞ୍ଜସ୍ୟ ଦେଖିବାକୁ ମିଳେ । ତାହା ହେଉଛି ମାତୃକାମାନଙ୍କ ଉପସନା ମୁକ୍ତି ବା ମୋକ୍ଷ ଲାଭର ଉପାୟ କହିଥାଏ ।
ଅଷ୍ଟମାତୃକା ଉପାଖ୍ୟାନ