ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ

159

ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରା
ପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ
ପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବା
ନୀତି ସମ୍ପନ୍ନ ହୋଇଛି ।


ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା
ଉତ୍ସବମୁଖର ହୋଇଉଠିଛି । ଜିଲ୍ଲାର ୫୦ରୁ ଅଧିକ ପୂଜାମଣ୍ଡପରେ ମୃଣ୍ମୟୀ
ଦେବୀ ଦୁର୍ଗାଙ୍କ ସ୍ୱତନ୍ତ୍ର ଦଶହରା ପୂଜା ଆରମ୍ଭ ହୋଇଥିବାବେଳେ
ଶାକ୍ତପୀଠ ଦେବୀ ସୁରେଶ୍ୱରୀଙ୍କ ଯଜ୍ଞ ମଣ୍ଡପରେ ଚଣ୍ଡୀପାଠ ଓ ହୋମ
ଆୟୋଜିତ ହୋଇଛି । ଜିଲ୍ଲାର ୧୦ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ
ଆୟୋଜିତ ହୋଇଛି । ସେହିପରି ଲୋକେ ଘରେ ଘରେ ପାରମ୍ପରିକ
ଅସ୍ତ୍ରଶସ୍ତ୍ରର ପୂଜା କରିଛନ୍ତି ।


ସେହିପରି ଦେବଗଡ଼ ଜିଲ୍ଲାରେ ଆନନ୍ଦଉଲ୍ଲାସର ସହ ପାଳିତ ହେଉଛି
ବିଜୟା ଦଶମୀ । ଆଜି ମା’ଙ୍କ ପାଖରେ ନବାନ୍ନ ଲାଗି ହେବା ସହିତ ଘରେ
ଘରେ ନୂଆଖାଇ ପାଳନ କରିଛନ୍ତି ଦେବଗଡ଼ବାସୀ । ପରମ୍ପରା ଅନୁଯାୟୀ
ଦେବଗଡ଼ ଜିଲ୍ଲାରେ ବିଜୟା ଦଶମୀ ତିଥିରେ ନୂଆଖାଇ ପାଳନ
କରାଯାଇଥାଏ । ସେଥିପାଇଁ ପରିବାରର ଦୂରଦୂରାନ୍ତରେ ରହୁଥିବା ପ୍ରିୟ
ପରିଜନ ଦଶହରାରେ ନିଜ ଘରକୁ ଆସି ଦୁର୍ଗାପୂଜା ପାଳନ କରିଥାନ୍ତି ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ୍ୟ, ଗଡ଼ ରକ୍ଷକ ଦେବୀ ମା’ ରକ୍ତାମ୍ବରୀ
ଏବଂ ଚୌହାନ ବଂଶ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦୁଇ ଛତର୍‍
ମୁହାଁମୁହିଁ ହୋଇଛନ୍ତି । ଚଳିତ ବର୍ଷ ଖଡ଼ିଆଳ ରାଜବାଟୀ ସମ୍ମୁଖରେ
ଏକାଠୀ ହୋଇ ଦୁଇଦେବୀ ଏକତ୍ର ନଗର ପରିକ୍ରମା କରିଛନ୍ତି । ପ୍ରଥମେ
ସାନ ଭଉଣୀ ସମଲେଶ୍ୱରୀ ନଗର ପରିକ୍ରମାରେ ବାହାରିଥିବାବେଳେ ଅଳ୍ପ
ସମୟ ମଧ୍ୟରେ ବଡ଼ ଭଉଣୀ ମା’ ରକ୍ତାମ୍ବରୀ ନଗର ପରିକ୍ରମା କରିଥିଲେ ।
ଏହି ଛତର୍‍ ଯାତ୍ରାରେ କୋରାପୁଟ ଏବଂ ସମ୍ବଲପୁର ଜିଲ୍ଲାରୁ ଚାରିଗୋଟି
ସାଂସ୍କୃତିକ ଦଳ ସହ ସ୍ଥାନୀୟ ସାଂସ୍କୃତିକ ଦଳ ଶୋଭାଯାତ୍ରାରେ ସାମିଲ
ହୋଇଥିବା ଜଣାପଡ଼ିଛି ।


ନୟାଗଡ଼ ଜିଲ୍ଲାରେ ଦଶହରା ଅବସରରେ ବିଭିନ୍ନ ସ୍ଥାନରେ ଦୁର୍ଗା
ଏବଂ ଶିବ ପାର୍ବତୀଙ୍କର ପ୍ରତିମା ସ୍ଥାପନ କରାଯାଇଛି । ଚଳିତ ବର୍ଷ ଜିଲ୍ଲା
ସଦର ମହକୁମା ସମେତ ଭାପୁର, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁର,
ଦଶପଲ୍ଲା, ଗଣିଆ ତଥା ନୂଆଗାଁ ବ୍ଲକର ୯୦ଟି ସ୍ଥାନରେ ମୃଣ୍ମୟୀ
ଦେବୀଙ୍କ ମେଢ଼ ପ୍ରତିଷ୍ଠା କରାଯାଇଛି ।


ସେହିପରି ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ, ଶୁଶୁଆ, ରାଜମୁକୁନ୍ଦପୁର,
ରାଜୁଆଳିବିନ୍ଧା, ବିଷ୍ଣୁପୁରବିନ୍ଧା, ଭକ୍ତିବ୍ରହ୍ମପୁର, ପ୍ରମୁଖ ପଞ୍ଚାୟତ ଓ ଗ୍ରାମରୁ
ଦଶହରା ଅବସରରେ ବଦଳମାନଙ୍କୁ ସୁସଜ୍ଜିତ କରାଯାଇ ଗ୍ରାମଦେବୀ
ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା ହେବାପରେ ଦଶହରା ବଳଦ ଶୋଭଯାତ୍ରା
ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ହେବା
ସହ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପୀଠ, ମା’ ଧାମରାଇ,
ପାଟଣମଙ୍ଗଳା, ଦପାନାୟକାଣୀ, ସୁବର୍ଣ୍ଣମୁଖୀ, କ୍ଷେତ୍ରବାସୀ ଏବଂ
ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ମା’ ଜୟଦୁର୍ଗାଙ୍କ
ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଛି ।


ଶାରଦୀୟ ଦୁର୍ଗାପୂଜା ଅବସରରେ ବୌଦ୍ଧ ସହର ଚଳଚଞ୍ଚଳ ହୋଇ
ଉଠିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ
ଆଲୋକମାଳାରେ ସାଜସଜ୍ଜା କରାଯାଇଅଛି । ସହରର ୩୫ଟି ଛୋଟବଡ଼
ପୂଜାମଣ୍ଡପରେ ମା’ଙ୍କର ପୂଜା ଅନୁଷ୍ଠିତ ହୋଇଛି ।


ଭୁବନେଶ୍ୱରର ଭସାଣୀ ଉତ୍ସବ ନିମନ୍ତେ ତିନୋଟି ଭସାଣି କମିଟି ପାଇଁ
ସ୍ୱତନ୍ତ୍ର ରୁଟ୍‍ ଲେନ୍‍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍‍ ସମସ୍ୟା ନ ଉପୁଜିବା
ପାଇଁ ପୋଲିସ୍‍ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିନିମନ୍ତେ ୧୭
ପ୍ଲାଟୁନ୍‍ ପୋଲିସ ଫୋର୍ସ ମୁତୟନ ହେବେ । ଭସାଣି ଦାୟିତ୍ୱରେ ତିନିଜଣ
ଅତିରିକ୍ତ ଡିସିପି ରହିବେ ବୋଲି ଜଣାପଡ଼ିଛି । ଭସାଣି ବେଳେ ଯେପରି
୬୫ଟି ଡେସିବେଲରୁ ଅଧିକ ସ୍ୱରରେ ଡିଜେ ନ ବାଜିବ ସେଥିପାଇଁ
ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ଭୁବନେଶ୍ୱରରେ ୪ଟି ଜାଗାରେ
ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି । ରାଜଧାନୀର ବରମୁଣ୍ଡା ଓ ମା’
ଝାରପଡ଼ା, କୋରଦକଣ୍ଟା, ଏବଂ ପାହାଳରେ ଥିବା ପୂଜା କମିଟିକୁ
ଅଗ୍ନିଶମ ବାହିନୀ ପକ୍ଷରୁ ଅନୁମତି ଦିଆଯାଇଛି । ରାବଣପୋଡ଼ି ପାଇଁ
ଭୁବନେଶ୍ୱରରେ ପାଞ୍ଚ ପ୍ଲାଟୁନ୍‍ ପୋଲିସ ଫୋର୍ସ ମୁତୟନ ହେବ ବୋଲି
ଜଣାପଡ଼ିଛି ।


ସେହିପରି କଟକ କାଠଯୋଡୀ ନଦୀର ଦେବୀଗଡ଼ାରେ ଭସାଣୀ ପାଇଁ
ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏଥିନିମନ୍ତେ ଅସ୍ଥାୟୀ ପୁସ୍କରିଣୀମାନ
ଖନନ କରାଯାଇଛି ।

Comments are closed, but trackbacks and pingbacks are open.