ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ୨୦ ବର୍ଷ ଧରି ସୁଶାସନ ପ୍ରଦାନ କରି ଆସିଥିବାରୁ ଆଜିର ଦିନକୁ ‘ସେବା ଓ ସମର୍ପଣ’ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଓ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଟ୍ୱିଟ୍ କରି ଶୁଭକାମନା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନ କାମନା କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଗୋଟିଏ ଦିନରେ ଦେଶରେ ଲୋକଙ୍କୁ ୨ କୋଟିରୁ ଅଧିକ ଡୋଜ୍ ଟିକା ପ୍ରଦାନ କରାଯାଇଛି, ଯାହାକି ଦେଶରେ ସର୍ବକାଳୀନ ରେକର୍ଡ଼ ବୋଲି ବିବେଚନା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଯୁଦ୍ଧକାଳୀନ ଭିତ୍ତିରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି ।
ଭାରତବର୍ଷର ସାମଗ୍ରୀକ ବିକାଶ ସହିତ ବିଦେଶରେ ଭାରତର ସମ୍ମାନକୁ ଅକ୍ଷୁଣ୍ଣ ରଖିବାପାଇଁ କାର୍ଯ୍ୟ କରିବାରେ ସଫଳ ହେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାତଃ ସ୍ମରଣୀୟ ବୋଲି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି । ବାଲେଶ୍ୱରଠାରେ ଶ୍ରୀ ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଷଡ଼ଙ୍ଗ କହିଥିଲେ, ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁ ଲୋକଙ୍କ କଲ୍ୟାଣପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଯୋଗଶିକ୍ଷା ଠାରୁ କୋଭିଡ୍ ମୁକାବିଲା ପର୍ଯ୍ୟନ୍ତ ସବୁର ସଫଳତା ପଛରେ ମୋଦିଙ୍କ ଦୂରଦୃଷ୍ଟୀ ଚିନ୍ତାଧାରା ରହିଛି । ପ୍ରତିରକ୍ଷା ବ୍ୟବସ୍ଥାଠାରୁ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଶ୍ରୀ ମୋଦିଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ପରେ ଶ୍ରୀ ଷଡ଼ଙ୍ଗୀ ସହରର ବସ୍ତିବାସିନ୍ଦାଙ୍କୁ ଫଳ ବଣ୍ଟନ କରିଥିଲେ ।